ଏହି ଦୁର୍ନୀତି ଅଭିଯୋଗରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୁଦ୍ଧରେ ଗିରଫ ପରଓ୍ଵାନା ଜାରି କଲେ କୋର୍ଟ
26/09/2023 at 5:47 PM

ଚଣ୍ଡିଗଡ଼: ସମ୍ପତ୍ତି କିଣାବିକା ସମ୍ପର୍କିତ ଅନିୟମିତତା ଅଭିଯୋଗରେ ପଞ୍ଜାବରେ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି। ମଙ୍ଗଳବାର ଏକ କୋର୍ଟ ଭଟିଣ୍ଡାରେ ହୋଇଥିବା ଜମି କିଣା ଅନିୟମିତତା ପାଇଁ ଗିରଫ ପରୁଆନା ଜାରି କରିଛନ୍ତି। ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀତଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ପରେ ଗିରଫ ୱାରେଣ୍ଟ ଜାରି ହୋଇଛି।
ସୂଚନା ଥାଉକି ଚଳିତ ବର୍ଷ ଜାନୁଆରୀ ମାସରେ ମନପ୍ରୀତ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ଶିରୋମଣି ଅକାଳୀ ଦଳରେ ଥିବା ବର୍ତ୍ତମାନର ବିଜେପି ନେତା ସରୁପ ଚାନ୍ଦ ସିଙ୍ଗଲା ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମନପ୍ରୀତ ବାଦଲ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ବେଳେ କ୍ଷମତାର ଦୁରୁପଯୋଗ କରି ନିଜ ପାଇଁ କମର୍ସିଆଲ୍ ପ୍ଲଟ୍କୁ ନିଜ ଆବାସିକ ପ୍ଲଟ୍ରେ ପରିଣତ କରି ଦୁର୍ନୀତି କରିଥିଲେ।
ସୋମବାର ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଏନେଇ ମନପ୍ରୀତଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ ପୁଲିସ ବାଦଲଙ୍କ ଘର ଓ ଅଫିସ୍ରେ ଚଢ଼ାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ତେବେ ଚଢ଼ାଉରେ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ।
ପଢ଼ନ୍ତୁ-ପଞ୍ଜାବରେ ଭାଙ୍ଗିବ କି ଆପ୍ ସରକାର ? କଂଗ୍ରେସର ବଡ଼ ଦାବି ପରେ ମୁଖ୍ୟମନ୍ତ୍ରୀ ମାନ କହିଲେ ସାହସ ଅଛି ତ…