ବୁଲିଯିବା ବାହାନାରେ ଅଧା ରାସ୍ତାରେ ସ୍ୱାମୀକୁ ଛାଡ଼ି ଚାଲିଯାଇଥିଲେ, ବିବାହ ବାହାନାରେ ବିଭିନ୍ନ ଲୋକଙ୍କୁ ଠକୁଥିବା ମହିଳା ଗିରଫ
23/06/2022 at 9:07 PM

ଦିଗପହଣ୍ଡି, ୨୩/୦୬: ବିବାହ ବାହାନାରେ ଅନେକ ଯୁବକଙ୍କୁ ଠକି ଆସୁଥିବା ଜଣେ ବିବାହିତ ଯୁବତୀଙ୍କୁ ଆଜି ଦିଗପହଣ୍ଡି ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ନଂ- ୨୨୦/୨୨ ଅନୁଯାୟୀ ମକଦ୍ଦମା ଋୁଜୁକରି ପୋଲିସ୍ ତାଙ୍କୁ କୋର୍ଟକୁ ଚଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି । ଗିରଫ ଯୁବତୀ ଜଣକ ହେଲେ ପ୍ରିୟଙ୍କା ପାତ୍ର(୨୨) । ସେ ଧରାକୋଟ୍ ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି.ସିଙ୍ଗପୁର ଗ୍ରାମର ବୋଲି ଥାନା ଆଇ.ଆଇ.ସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଏହି ଥାନା ଅନ୍ତର୍ଗତ ପେଣ୍ଡୁରାବାଡି ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଏତଲା ଆଧାରରେ ସମ୍ପୃକ୍ତ ଯୁବତୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ୍ କହିଛି ।
ପ୍ରଶାନ୍ତ ପଣ୍ଡାଙ୍କର ଗତ ଏକ ବର୍ଷ ତଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ପିତବାସ ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ରଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ବିବାହର କିଛି ଦିନ ପରେ ସ୍ୱାମୀ-ସ୍ତ୍ରୀ ମିଶି ବ୍ରହ୍ମପୁର ବୁଲିବାକୁ ଯାଇଥିଲେ । ସେଠାରେ ସ୍ୱାମୀଙ୍କ ଆଖିରେ ଧୁଳି ଦେଇ ସ୍ତ୍ରୀ ପ୍ରିୟଙ୍କା ତାଙ୍କ ନିକଟରୁ ଖସି ପଳେଇଥିଲା । ଏ ନେଇ ପ୍ରଶାନ୍ତ ବ୍ରହ୍ମପୁର ବି.ଏନ୍.ପୁର ଥାନାରେ ଏକ ନିଖୋଜ୍ ମାମଲା(ମିସ୍ କେସ୍) ଦେଇଥିଲେ । ଏତଲା ଆଧାରରେ ପୋଲିସ୍ ଘଟଣାର ତଦନ୍ତ କରିଥିଲା । ପ୍ରିୟଙ୍କା ପାତ୍ର ତାଙ୍କ ବାପଘର ଡି.ସିଙ୍ଗପୁର ଗ୍ରାମରେ ରହୁଥିବା ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରିୟଙ୍କାକୁ ଥାନାକୁ ଆଣି ପଚରା ଉଚରା କରିବା ସହିତ ଯୁବତୀ ଜଣକ ହିଞ୍ଜିଳିକାଟୁ, ପୁରୀ, ଆସିକା, ଦିଗପହଣ୍ଡି ଅଞ୍ଚଳର ଏକାଧିକ ଯୁବକଙ୍କୁ ବିବାହ ବାହାନାରେ ଠକୁଥିବା ପୋଲିସ୍ ଜାଣିବାକୁ ପାଇଥିଲା ଏବଂ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରି ଛାଡି ଦେଇଥିଲା ।
ପ୍ରୀୟଙ୍କା ବ୍ରହ୍ମପରରୁ ଫେରାର୍ ହୋଇଯିବା ସମୟରେ ସ୍ୱାମୀ ପ୍ରଶାନ୍ତ ପାଖରୁ ବିବାହ ସମୟରେ ଦିଆଯାଇଥିବା ମଙ୍ଗଳସୁତ୍ର, ମୁଦି, କାନଫୁଲ ନେଇଯାଇଥିଲା । ବି.ଏନ୍.ପୁର ଥାନାରୁ କୌଣସି ପ୍ରକାର ନ୍ୟାୟ ନମିଳିବାରୁ ପ୍ରଶାନ୍ତ ପଣ୍ଡା ପୁଣି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଦିଗପହଣ୍ଡି ପୋଲିସ୍ ମଧ୍ୟ ଘଟଣାର ଖୋଳତାଡ କରିବା ସହିତ ବିଏନ୍.ପୁର ପୋଲିସ୍ ସହିତ ଯୋଗାଯୋଗ କରି ପ୍ରିୟଙ୍କା ଏହିଭଳି ଏକାଧିକ ବିବାହ କରି ଏଭଳି ଠକାମିରେ ସମ୍ପୃକ୍ତି ଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ତଦନ୍ତକାରୀ ପୋଲିସ୍ ଅଧିକାରୀ ଏ.ସର୍ଣ୍ଣଲତା ପାତ୍ର କହିଛନ୍ତି ।