ପିତାଙ୍କ ମୃତ୍ୟୁରେ କାନାଡ଼ାରୁ ଆସିଥିଲେ ଯୁବତୀ : ବାଲକୋନି ଖସି ପଡ଼ିବାରୁ ମୃତ୍ୟୁ
18/06/2019 at 4:37 PM

ଜଲନ୍ଧର ୧୮/୬: ପଞ୍ଜାବର ଜଲନ୍ଧର ଜିଲ୍ଲାର ଆଦମପୁରରେ ଗତକାଲି ସନ୍ଧ୍ୟାରେ ଝଡ଼ ଯୋଗୁଁ ଏକ ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି। କାନାଡ଼ାରେ ରହୁଥିବା ଜଣେ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯିବାରୁ ସେ ଘରକୁ ଆସିଥିଲେ। ହଠାତ୍ ଝଡ଼ରେ ତାଙ୍କ ଘରର ବାଲକୋନି ତାଙ୍କ ଉପରକୁ ଖସି ପଡ଼ିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
ସୂଚନା ଅନୁଯାୟୀ ଆଦମପୁରର ତିଳକ ରାଜ ଜୈନଙ୍କ ଜଣେ ପୁଅ କାନାଡ଼ାରେ ରହୁଥିଲେ ଏବଂ ଦ୍ବିତୀୟ ପୁଅ ଜଲନ୍ଧରରେ କୋରିୟର କାମ କରୁଥିଲେ। ତାଙ୍କ ଝିଅ ଦୀପାଂଶୀ କାନାଡ଼ାରେ ସିଏ କୋର୍ସ କରୁଥିଲେ। ପାଖାପାଖି ଦେଢ଼ ମାସ ପୂର୍ବରୁ ତିଳକ ରାଜ ଜୈନଙ୍କ ହଠାତ୍ ମୃତ୍ୟୁ ହୋଇଯାଇଥିଲା ଯାହା ଫଳରେ ପୁଅଝିଅମାନେ ଘରକୁ ଆସିଥିଲେ।
୨୪ବର୍ଷ ବୟସ୍କା ଦୀପାଂଶୀଙ୍କୁ ଜୁନ୍ ୫ତାରିଖରେ କାନାଡ଼ା ଫେରିବାର ଥିଲା,କିନ୍ତୁ ଦୀପାଂଶୀଙ୍କୁ କାନାଡ଼ା ଯିବାକୁ ଇଚ୍ଛା ନହେବାରୁ ସେ କିଛି ଦିନ ଯାଏଁ ମାଆଙ୍କ ପାଖେ ରହିଯାଇଥିଲେ। ତେଣୁ ସେ ନିଜ ମାଆଙ୍କ ସହ ବାପାଙ୍କ ବ୍ୟବସାୟ ଦେଖିଥିଲେ। ଏହି ସମୟରେ ତାଙ୍କ ବିବାହ ପ୍ରସ୍ତାବ ମଧ୍ୟ ଆସୁଥିଲା ଏବଂ ଏହା ସହିତ ପରିବାର ଲୋକେ ତାଙ୍କୁ ବୁଝାଇ ସୁଝାଇ କାନାଡ଼ା ଫେରି ଯିବାକୁ ରାଜି କରାଇଥିଲେ।
କେବଳ ଏତିକି ନୁହେଁ ମାଆଙ୍କୁ ମଧ୍ୟ ଶୀଘ୍ର କାନାଡ଼ା ଡାକିବା ପାଇଁ ସେ ସ୍ଥିର କରିଥିଲେ। ସେ କାନାଡ଼ା ଯିବା ପାଇଁ ଜୁନ୍ ୨୪ ତାରିଖର ଫ୍ଲାଇଟ୍ ବୁକ୍ କରିଥିଲେ। କିନ୍ତୁ ଏହା ପୂର୍ବରୁ ପରିବାରରେ ଦୁଃଖର ଲହରୀ ଖେଳିଯାଇଥିଲା। ଗତକାଲି ଦୀପାଂଶୀ ତାଙ୍କ ଦୋକାନ ବାହାରେ ଛିଡ଼ା ହୋଇଥିଲେ। ଭୀଷଣ ଜୋରରେ ଝଡ଼ ଆସିବାରୁ ଦୋକାନର ବାଲକୋନି ଭାଙ୍ଗି ତାଙ୍କ ଉପରେ ଖସି ପଡ଼ିଥିଲା। ବାଲକୋନିର ଭଗ୍ନାବଶେଷ ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
