ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ଦୁଇ ଷ୍ଟାର ଖେଳାଳି !
5/02/2023 at 10:58 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଫେବୃଆରୀ ୯ରେ ନାଗପୁରରେ ଆରମ୍ଭ ହେବାକୁ ଯାଉଛି। ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ବଡ ଝଟକା। ପ୍ରଥମ ଟେଷ୍ଟରେ ଦଳରୁ ବାଦ୍ ପଡିଛନ୍ତି ତାରକା ଦ୍ରୁତ ବୋଲର ଜୋଶ ହେଜେଲଉଡ।
କ୍ରିକବଜ୍ର ରିପୋର୍ଟ ଅନୁଯାୟୀ, ଜୋଶ ହେଜେଲଉଡ ଆହତଜନିତ ସମସ୍ୟାରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି। ତେଣୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡି ପାରନ୍ତି। ଏପରିକି ଦିଲ୍ଲୀ ଟେଷ୍ଟ ସେ ଖେଳିବେ କି ନାହିଁ ତାହା ମଧ୍ୟ ଆଶଙ୍କାରେ ରହିଛି। ହେଜେଲଉଡ ବେଙ୍ଗାଲୁରୁର ଏଲୁରରେ ଆୟୋଜିତ ଅଭ୍ୟାସ୍ ଶିବିରରେ ଯୋଗ ଦେଇ ନାହାନ୍ତି। ପ୍ରଥମ ମ୍ୟାଚ୍ରେ ତାଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ୍ କରାଯାଇପାରେ।
ଅଷ୍ଟ୍ରେଲିଆ ପାଇଁ ଏହା ବଡ ନିରାଶଜନକ ଖବର, କାରଣ ଏହା ପୂର୍ବରୁ ମିଚେଲ୍ ଷ୍ଟାର୍କ ମଧ୍ୟ ପ୍ରଥମ ଟେଷ୍ଟରୁ ବାଦ୍ ପଡି ସାରିଛନ୍ତି। ଏହି ଦୁଇ ବୋଲର ହିଁ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂର ମେରୁଦଣ୍ଡ। ତେଣୁ ଉଭୟ ଦଳରୁ ବାଦ୍ ପଡିବା ଅଷ୍ଟ୍ରେଲିଆକୁ ନିଶ୍ଚିତ ଭାବେ ଅଡୁଆରେ ପକାଇବ।
ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳ
ପାଟ୍ କମିନ୍ସ(ଅଧିନାୟକ), ଆଷ୍ଟନ ଏଗର, ଆଲେକ୍ସ କେରି, କ୍ୟାମରୁନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍ବ, ଜୋଶ ହେଜେଲଉଡ, ଟ୍ରେଭିସ୍ ହେଡ୍, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ନାଥନ ଲିଓନ, ଲାନ୍ସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ୍(ଉପ ଅଧିନାୟକ), ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ଵେପସନ, ଡେଭିଡ ଓ୍ଵାର୍ଣ୍ଣର।
ଅଷ୍ଟ୍ରେଲିଆର ଭାରତ ଗସ୍ତ
ପ୍ରଥମ ଟେଷ୍ଟ- ଫେବୃଆରୀ ୯ରୁ ୧୩, ନାଗପୁର
ଦ୍ଵିତୀୟ ଟେଷ୍ଟ- ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ
ତୃତୀୟ ଟେଷ୍ଟ- ମାର୍ଚ୍ଚ ୧ରୁ ୫, ଧର୍ମଶାଳା
ଚତୁର୍ଥ ଟେଷ୍ଟ- ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ