ଦୀର୍ଘ ୭ ବର୍ଷ ପରେ ଚିନି ରପ୍ତାନୀରେ ବ୍ୟାନ୍ ଲଗାଇପାରେ ଭାରତ: ଆଖୁ ଉତ୍ପାଦନ ହ୍ରାସ ବଢ଼ାଇଲା ଚିନ୍ତା
23/08/2023 at 9:03 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହଙ୍ଗା ବଜାରକୁ ନିୟନ୍ତ୍ରଣ କରୁଛନ୍ତି ବୋଲି କହି ଯେତେ ଢୋଲ ପିଟିଲେ ବି ସ୍ଥିତି ସ୍ପଷ୍ଟ ଦେଖାଯାଉଛି। ଭାରତରେ ମହଙ୍ଗା ସ୍ଥିତି ଲୋକଙ୍କ ପକେଟ୍ ଚିରି ସାରିଲାଣି। ଟମାଟୋ ଠାରୁ ଆରମ୍ଭ କରି ଆଳୁ, ପିଆଜ ଓ ଅନ୍ୟ ପନିପରିବାର ସବୁ ଏକଦମ୍ ଚଢ଼ା ରେଟ୍ରେ ବିକ୍ରି ହେଉଛି। ଇଏ ତ ଥିଲା ପନିପରିବା କଥା। ତେଜରାତି ସଉଦାରେ ଡାଲି, ଚାଉଳ ଓ ତେଲ ଆଦିର ମୂଲ୍ୟ ବଢ଼ିଛି।

ବାସୁମତି ଚାଉଳ ଓ ପିଆଜର ମୂଲ୍ୟ ଅହେତକୁ ବୃଦ୍ଧି ହେବାରୁ ନିକଟରେ କେନ୍ଦ୍ର ସରକାର ଚାଉଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବା ସହ ପିଆଜ ଉପରେ ୪୦ ପ୍ରତିଶତ ରପ୍ତାନୀ କର ଲଗାଇଥିଲେ। ହେଲେ ଆଗକୁ ଚିନିର ଅବସ୍ଥା ବି ସମାନ ହେବାକୁ ଯାଉଛି। ଚିନିର ମୂଲ୍ୟ ଅହେତୁକ ବୃଦ୍ଧି ପାଇବ। କାରଣ ଚଳିତ ବର୍ଷ ବର୍ଷା କମ୍ ହୋଇଥିବା ଯୋଗୁ ଆଖୁ ଉତ୍ପାଦନ ହ୍ରାସ ପାଇଛି। ସେହିପରି ଇଥାନଲ ଉତ୍ପାଦନରେ ମଧ୍ୟ ଆଖୁ ବ୍ୟବହାର କରାଯିବାରୁ ଚିନିର ଉତ୍ପାଦନ କମିବା ସ୍ୱାଭାବିକ୍ । ତେଣୁ ସରକାର ଆଗକୁ ଚିନି ରପ୍ତାନୀ ବ୍ୟାନ୍ କରିପାରନ୍ତି ବୋଲି କୁହାଯାଉଛି।

ଅକ୍ଟୋବର ମାସରୁ ଭାରତ ଚିନି ରପ୍ତାନୀ ଉପରେ ବ୍ୟାନ୍ ଲଗାଇପାରେ ବୋଲି ରୟଟର୍ସରେ ଖବର ପ୍ରକାଶ ପାଇଛି। ଆଖୁ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକରେ ବର୍ଷା ୫୦ ପରିମାଣରେ କମ୍ ହୋଇଛି। ତେଣୁ ଆଗକୁ ଚିନି ଉତ୍ପାଦନରେ ହ୍ରାସ ହୋଇପାରେ। ଦୀର୍ଘ ୭ ବର୍ଷ ପରେ ଚିନି ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି ଭାରତ।

ଏପଟେ ଭାରତରେ ମହଙ୍ଗା ବଜାର ୧୫ ମାସରେ ରେକର୍ଡ ଭାଙ୍ଗିଛି। ଜୁଲାଇ ମାସରେ ୭.୪ ପ୍ରତିଶତ ହୋଇଛି ଖୁଚୁରା ମୁଦ୍ରାସ୍ଫୀତି। ସେହିପରି ଖାଦ୍ୟସାମଗ୍ରୀରେ ମୁଦ୍ରାସ୍ଫୀତି ୧୧.୫ ପ୍ରତିଶତକୁ ଡେଇଁଛି। ଯାହା ଗତ ୩ ବର୍ଷରେ ସବୁଠାରୁ ଉପରେ ରହିଛି।

ଚିନିର ଉତ୍ପାଦନରେ ହ୍ରାସ
ଆକଳନ ଅନୁସାରେ, ୨୦୨୩-୨୪ ବର୍ଷରେ ଦେଶରେ ଚିନି ଉତ୍ପାଦନ ୩.୩ ପ୍ରତିଶତ ହ୍ରାସ ପାଇ ୩୧.୭ ମିଲିୟନ ଟନ୍ ହେଇପାରେ। ଚଳିତ ବର୍ଷ କେବଳ ୬.୧ ମିଲିୟନ ଟନ୍ ଚିନି ରପ୍ତାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ ଗତବର୍ଷ ୧୧.୧ ମିଲିୟନ ଟନ୍ ରପ୍ତାନୀର ଅନୁମତି ଦେଇଥିଲା ସରକାର। ଏହାରି ଭିତରେ ସରକାର ଚିନି ଉତ୍ପାଦନ ସହ ବଳକା ଆଖୁରେ ଇଥାନଲ୍ ଉତ୍ପାଦନରେ ମଧ୍ୟ ଆଖୁ ବ୍ୟବହାର କରୁଛନ୍ତି। ତେବେ ଚିନି ଉତ୍ପାଦନରେ କରୁଥିବା ଇଣ୍ଡୋନେସିଆର କମ୍ ଉତ୍ପାଦନ ଓ ବ୍ରାଜିଲ୍ରେ ତିନି ଉତ୍ପାଦନର ଅକ୍ଷମତା ଯୋଗୁ ବିଶ୍ୱ ସ୍ତରରେ ଚିନି ଉତ୍ପାଦନ ମହଙ୍ଗା କରିବ। ଏହା ସତ୍ତ୍ୱେ ଭାରତ ଯଦି ରପ୍ତାନୀ ବନ୍ଦ କରେ ତେବେ ବିଦେଶରେ ଚିନିରେ ଆଉ ହାତ ମାରି ହେବନି।