ମୋବାଇଲ ବେଟେରୀ ବିସ୍ଫୋରଣରେ ନାବାଳକ ଗୁରୁତର, ତିନି ଦିନ କଷ୍ଟରେ ଛଟପଟ ପରେ ଏସଡିଏମଓ କଲେ ଅପରେସନ

Published By : Prameya-News7 Bureau | December 12, 2020 IST

ନୀଳଗିରି,୧୨/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ମୋବାଇଲ ବେଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇ ନୀଳଗିରି ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଯନ୍ତ୍ରଣାରେ ତିନିଦିନ ଧରି ଛଟପଟ ହେଉଥିବା ଜଣାପଡିଛି। ଶେଷରେ ଆଜି ଏସଡିଏମଓ ପିଲାଟିର ଅପରେସନ କରିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଗରଡ଼ିହି ପଂଚାୟତ ଅଧିନ ଚେକାମରା ଗ୍ରାମର ଟୁନା ସିଂଙ୍କ ୭ ବର୍ଷୀୟ ପୁଅ  ଚନ୍ଦ୍ରକାନ୍ତ ଗୁରୁବାର ଦିନ ଏକ ମୋବାଇଲ ବେଟେରୀ ଧରି ଖେଳୁଥିବା ବେଳେ ପଥରରେ ଛେଚି ଦେବାରୁ ତାହା ବିସ୍ଫୋରଣ ଘଟିଥିଲା। ଚନ୍ଦ୍ରକାନ୍ତଙ୍କର ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ଲାଗି ପ୍ରବଳ ରକ୍ତ ସ୍ରାବ ହେଉଥିବା ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତି ହୋଇଥିଲେ। ପେଟ ଓ ଛାତିରେ ଆଂଶିକ ମଧ୍ୟ ପୋଡ଼ିଯାଇଥିବା ବେଳେ ହାତରେ ଅପରେସନ ହେବା ଜରୁରୀ ବୋଲି ଜଣାପଡିଥିଲା।

ଶୁକ୍ରବାର ଅପରେସନ ହେବ ବୋଲି ଡାକ୍ତର କହିବା ପରେ ଅପରେସନ ମଧ୍ୟ କରାଯାଇନଥିଲା। ହାତରୁ ପ୍ରବଳ ରକ୍ତ ସ୍ରାବ ହେବାରୁ ବାପା ମା ମଧ୍ୟ ଧୈର୍ଯ୍ୟହରା ହୋଇ ଉଠି ନିଜକୁ ଅସହାୟ ମଣୁଥିଲେ। ଆଜି ଶନିବାର ଅପରେସନ ହେବ ବୋଲି କହିବା ପରେ ମଧ୍ୟ ତାଙ୍କୁ ବାଲେଶ୍ଵର ରେଫର ହେବ ବୋଲି କୁହାଯାଇଥିଲା। ପରେ ଏସଡିଏମଓ ଅଜୟ କୃଷ୍ଣ ସାମଲଙ୍କୁ ପୀଡ଼ିତ ସମ୍ପର୍କୀୟ କହିବା ପରେ ସେ ପିଲାଟି ହାତରେ ସଫଳ ଅସ୍ତ୍ରୋପଚାର କରିଥିଲେ। ପିଲାଟିର ପରିବାର ଗରିବ ଦିନ ମଜୁରିଆ ହୋଇଥିବାରୁ ଉପଜିଲାପାଳଙ୍କୁ ରେଡ଼କ୍ରସ ପାଣ୍ଠିରୁ ଅର୍ଥ ସହାୟତା ପାଇଁ ଲିଖିତ ଭାବେ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.