ଗୁଜରାଟରେ ଫ୍ଲୁ ଲକ୍ଷଣ ଥିବା ମହିଳାଙ୍କ ମୃତ୍ୟୁ, H3N2 ବିପଦ ମଧ୍ୟରେ ପରେ ବଢ଼ିଲା ଚିନ୍ତା
14/03/2023 at 5:36 PM

ନୂଆଦିଲ୍ଳୀ, ୧୪/୦୩: ଏନଫ୍ଲୁଏଞ୍ଜାର ସବ୍ ଟାଇପ୍ ଏଚ୩ଏନ୨ ଏବେ ଦେଶରେ ଚିନ୍ତାର କାରଣ ପାଲଟିଛି। ଭାଇରସର ବଢ଼ୁଥବା ପ୍ରକୋପକୁ ନେଇ କେନ୍ଦ୍ର ସରକାର ନିକଟରେ ସବୁ ରାଜ୍ୟଙ୍କୁ ଏହି ଭାଇରସ ସହ ଲଢ଼ିବା ପାଇଁ ହସ୍ପିଟାଲରେ ଉଚିତ୍ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଗୁଜରାଟର ଭଦୋଦରାର ଏକ ସରକାରୀ ହସ୍ପିଟାଲରେ ଫ୍ଳୁ ଭଳି ଲକ୍ଷଣ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଧିକାରୀ।
ତେବେ ଏଚ୩ଏନ ୨ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅଧିକାରୀ କହିଛନ୍ତି ନମୁନା ପଠାଯାଇଛି। ଏକ ସମୀକ୍ଷା କମିଟି ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଯାଞ୍ଚ କରିବ। ରୋଗୀ ୧୧ ମାର୍ଚ୍ଚରେ ଏକ ବେସରକାରୀ ହସ୍ପିଟାଲରୁ ସାର୍ ସୟାଜୀରାଓ ଜେନେରାଲ (ଏସଏସଜି) ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ମୃତ ମହିଳା ଭଦୋଦରାର ଫତେହଗଞ୍ଜ ଅଞ୍ଚଳର ବାସିନ୍ଦା।
ସୂଚନାଥାଉ, ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଗତ ସପ୍ତାହରେ କହିଥିଲେ ଯେ ଗୁଜରାଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏନଫ୍ଲୁଏଞ୍ଜା ସବ୍ ଟାଇପ୍ ଏଚ୩ଏନ୨ର ତିନି ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଦେଶରେ ଏଚ୩ଏନ୨ ଭାଇରସରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ଜାନୁଆରୀ ୨ରୁ ମାର୍ଚ୍ଚ ୫ ମଧ୍ୟରେ ୪୫୧ ସଂକ୍ରମଣ ସାମ୍ନାକୁ ଆସିଛି।