ଖେଳୁଥିବା ବେଳେ ଡ୍ରେନରେ ବୁଡି ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ

Published By : Prameya-News7 Bureau | January 07, 2023 IST

ବଡବିଲ: ଡ୍ରେନରେ ବୁଡି ୩ ବର୍ଷର ଶିଶୁପୁତ୍ର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ବିଲ ପୌରାଞ୍ଚଳର ୧ ନଂ ୱାର୍ଡ, ନାଲଦା ବାଇ ହଟିଂରେ । ମୃତକ ହେଉଛନ୍ତି ରାଜକୁମାର ରୱାନୀଙ୍କ ୩ ବର୍ଷର ପୁଅ ଆୟନ୍ ରୱାନୀ ।

ଆୟନ୍ ଆଜି ମଧ୍ୟାହ୍ନ ସମୟରେ ଘର ନିକଟରେ  ଖେଳୁଥିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ପାଖରେ ଡ୍ରେନ୍ ପାଣି ଜମାହୋଇ ରହିଥିବା ଏକ ଗାଡ଼ରେ ଆୟନର ଚପଲ ଭାସୁଥିବାର ଦେଖିବାକୁ ପାଇଥିଲେ । ଆୟନ୍ ସେଥିରେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । 

ତେବେ ଗାଡ଼ରେ ଖୋଜିବା ପରେ ଆୟନକୁ ସେଠାରୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବଡ଼ବିଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.