ମିଳିଲା ସବୁଠାରୁ ଉଚ୍ଚ ଗଛ: ଆମାଜନ ଜଙ୍ଗଲରେ ଖୋଜି ପାଇଲେ ବୈଜ୍ଞାନିକ

Published By : Prameya-News7 Bureau | October 08, 2022 IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଜଙ୍ଗଲ ଆମାଜନର ବୃଷ୍ଟି ବହୁଳ ଚିରହରିତ ଜଙ୍ଗଲରେ ମିଳିଲା ସବୁଠାରୁ ଉଚ୍ଚା ଗଛ। ଜଙ୍ଗଲରେ ଥିବା ଗଛମାନଙ୍କ ମଧ୍ୟରୁ ସବୁଠାରୁ ଉଚ୍ଚା ଗଛକୁ ଖୋଜି ପାଇଛନ୍ତି ବୈଜ୍ଞାନିକ। ଏହି ଗଛକୁ ଖୋଜି ପାଇବାକୁ ୩ ବର୍ଷ ଧରି ଯୋଜନା, ୫ ଅଭିଯାନ ଓ ଘନ ଜଙ୍ଗଲ ଭିତରେ ଦୁଇ ସପ୍ତାହର ଖୋଜୋଖୋଜି ପରେ ମିଳିଲା ସବୁଠାରୁ ଉଚ୍ଚା ଗଛ। ଏହି ଗଛର ଉଚ୍ଚତା ପ୍ରାୟ ୨୫ ମହଲା ବିଲ୍ଡିଂ ସହିତ ସମାନ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହି ଗଛଟି ହେଉଛି ଏଞ୍ଜେଲିମ ବର୍ମେଲୋ ଗଛ। ଯାହାର ବୈଜ୍ଞାନିକ ନାମ ଡିନିଜିଆ ଏକ୍ସେଲ୍‌ସା। ଏହାର ଉଚ୍ଚତା ୮୮.୫ ମିଟର (୨୯୦ ଫିଟ୍) ଓ ଗୋଲେଇ ୦.୯ ମିଟର(୩୨ ଫିଟ୍)। ଆମାଜନ ଜଙ୍ଗଲରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ଗଛ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହି ଗଛକୁ ଖୋଜିବା ପାଇଁ ଗବେଷକମାନେ ବୋଟ୍‌ରେ ୨୫୦ କିମି ଯାତ୍ରା କରିଥିଲେ। ତା ସହିତ ଜଙ୍ଗଲ ପାହାଡ଼ଭରା ଅଞ୍ଚଳରେ ୨୦ କିମି ପଦ ଯାତ୍ରା କରିବାକୁ ପଡ଼ିଥିଲା। ଗଛ ଖୋଜି ବାହାରିଥିବା ଏହି ୧୯ ଜଣିଆ ଟିମି୍‌ରେ ଜଣେ ସଦସ୍ୟ ବିଷାକ୍ତ ବୁଢିଆଣୀ କାମୁଡ଼ାରେ ଶିକାର ହୋଇଥିଲେ। ଅମପା ଫେଡେରାଲ ୟୁନିଭର୍ସିଟିର ଫରେଷ୍ଟ ଇଞ୍ଜିନୟର ଡିଏଗୋ ଅର୍ମାଣ୍ଡୋ ସିଲ୍‌ଭା ଏହି ଅଭିଯାନରେ ଗବେଷକମାନଙ୍କୁ ସହଯୋଗ କରିଥିଲେ। ଗଛ ମିଳିବା ପରେ ତାଙ୍କ ପରିଶ୍ରମ ସଫଳ ହେଲା ବୋଲି ସିଲ୍‌ଭା କହିଛନ୍ତି।  

ଉଚ୍ଛା ଗଛ ପାଇବା ପରେ ଏହାର ବୟସ ଜାଣିବା ପାଇଁ ଗବେଷକମାନେ ଗଛର ପତ୍ର, ମାଟି ଏବଂ ଅନ୍ୟାନ୍ୟ ନମୁନା ବି ସଂଗ୍ରହ କରିଛନ୍ତି। ତା ଛଡ଼ା କାହିଁକି ଏହି ଅଞ୍ଚଳରେ ଅଧିକାଂଶ ଉଚ୍ଚା ଗଛ ଅଛି? ଗଛଗୁଡ଼ିକ କେତେ ପରିମାଣରେ କାର୍ବନ ଗଚ୍ଛିତ କରି ରଖିଛନ୍ତି ?ଏସବୁ ଜାଣିବା ପାଇଁ ଏହା ଉପରେ ଗବେଷଣା ହେବ। ତେବେ ସିଲ୍‌ଭାଙ୍କ ଅନୁମାନରେ ଏହି ଗଛ ୪୦୦-୬୦୦ ବର୍ଷ ପୁରୁଣ ହେବ ବୋଲି ସେ କହିଛନ୍ତି।

୨୦୧୯ରେ 3D ମ୍ୟାପିଂ ପ୍ରୋଜେକ୍ଟ ଜରିଆରେ ସାଟେଲାଇଟ ଇମେଜରେ ପ୍ରଥମେ ଏହି ବିଶାଳ ଗଛକୁ ଚିହ୍ନଟ କରାଯାଇଥିଲା। ଏହା ପର ବର୍ଷ ଗବେଷକ, ଶୈକ୍ଷିକ କମିଟି ଏବଂ ସ୍ଥାନୀୟ ଗାଇଡ୍‌ ଏହି ଗଛକୁ ଖୋଜି ପାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ୨୦ ଦିନିଆ ଏକ ଖୋଜାଖୋଜି ଅଭିଯାନ ଆରମ୍ଭ ହୋଇଥିଲେ ବି ଏହା ବିଫଳ ହୋଇଥିଲା। କାରଣ ଟିମ୍‌ ସାଙ୍ଗର ନେଇଥିବା ସାଧନର ଅଭାବ ସହ ଟିମ୍ ସଦସ୍ୟ ରୋଗରେ ପଡ଼ିବା ଥିଲା ମୁଖ୍ୟ କାରଣ। ଗଛର ସନ୍ଧାନ ପାଇଁ ଟିମ୍ ଫେରିଆସିଥିଲା। ହେଲେ ଏବେ ସେହି ଉଚ୍ଚା ଗଛ ମିଳିବା ସହ ଅଭିଯାନ ସମ୍ପୂର୍ଣ୍ଣ ହୋଇଛି।  

ଆମାଜନର ଇରତାପୁର ଅଞ୍ଚଳରୁ ଏହି ଗଛଟି ମିଳିଥିବା ବେଳେ ଏହି ଅଞ୍ଚଳକୁ ସୁନା ଖଣି ମାଫିଆ ଓ କାଠୁରିଆଙ୍କର ଭୟ ରହିଛି। ଅନେକ ସମୟରେ କାଠ ପାଇଁ ଏହି ଅଞ୍ଚଳରୁ କାଠୁରିଆମାନେ ଆଞ୍ଜେଲିମ ଭର୍ମେଲୋ ଗଛକୁ ହାଣି ପକାଉଛନ୍ତି। ଗତ ଦଶନ୍ଧି ଅପେକ୍ଷା ଗତ ୩ ବିର୍ଷରେ ବ୍ରାଜିଲ୍‌ ଆମାଜନରେ ଗଛକଟା ବାର୍ଷିକ ହାରାହାରି ୭୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗବେଷଣାରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.