ଆଇଟି-ଜିଏସଟି ରେଡ୍ ପ୍ରତିବାଦରେ ମଙ୍ଗଳବାର ପଦ୍ମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା

Published By : Prameya-News7 Bureau | November 28, 2022 IST

ପଦ୍ମପୁର: ଗୋଟେ ପଟେ ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ପଦ୍ମପୁରରେ ଆଇଟି ଏବଂ ଜିଏସଟି ରେଡ୍‌କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। ତେବେ ଆଇଟିଏ- ଜିଏସଟି ରେଡ୍ ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରର ଦୋକାନ ବଜାର ବନ୍ଦ ରହିବ। ପଦ୍ମପୁର ବଣିକ ସଂଘ ପକ୍ଷରୁ ସୋମବାର ଏହି ବନ୍ଦ ଡାକରା ଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଜିଏସଟି ରେଡ୍ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ସାମିଲ୍ ହେବେ। ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି।

ତିନି ତିନି ଜଣ ବ୍ୟବସାୟୀଙ୍କ ଘରେ IT ରେଡ୍ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏମିତିକି IT ରେଡ୍ ପରେ ଅନେକଙ୍କ ଦୋକାନରେ ଜିଏସଟି ରେଡ୍ ପଡିଛି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରୀୟ ଫୋର୍ସ ଏବଂ ଓଡ଼ିଶା ପୋଲିସ । ତେବେ କ’ଣ ପାଇଁ IT ରେଡ୍ ହୋଇଛି ସେ ସମ୍ପର୍କରେ କିଛି ଜଣା ପଡ଼ିନଥିଲେ ମଧ୍ୟ ଘଟଣାକୁ ନେଇ ବଢ଼ୁଛି ରାଜନୈତିକ ବୟାନବାଜି । ସେହିଭଳି  ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମୁହାଁମୁହିଁ ହେବେ ବୋଲି ସାଧାରଣରେ ଆଲୋଚନା ବି ଜୋର୍ ଧରିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ଗୋଟେ ପଟେ ଜୋରଦାର୍ ପ୍ରଚାର ଚାଲିଥିବା ବେଳେ ଆଜି ଏକାଧିକ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ଆୟକର ବିଭାଗ । ପ୍ରଦ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ମହମ୍ମଦ ସାଜିଦ୍ , ମାନଭଞ୍ଜନ ସାହୁ ଏବଂ ଗଜାନନ ଅଗ୍ରଓ୍ବାଲଙ୍କ ଘରେ କେନ୍ଦ୍ରୀୟ ଫୋର୍ସ ଉପସ୍ଥିତିରେ ଚାଲିଛ ଚଢ଼ାଉ । ବ୍ୟବସାୟୀ ମହମ୍ମଦ ସାଜିଦଙ୍କ ଘରେ IT ରେଡ୍ ବେଳେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ରେଡ୍ ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ ଓଡ଼ିଶା ପୋଲିସର ୩ ବରିଷ୍ଠ ଅଧିକାରୀ  ଏବଂ ସାଜିଦଙ୍କ ଓକିଲ । ତେବେ କେନ୍ଦ୍ରୀୟ ଫୋର୍ସ କାହାକୁ ଭିତରକୁ ଛାଡ଼ିବାକୁ ରାଜି ହୋଇନଥିଲେ । ଦୀର୍ଘ ସମୟ ଧରି ତର୍କ ବିତର୍କ ପରେ SDPO, IIC ଓ SIଙ୍କୁ ଘର ଭିତରକୁ ଛଡ଼ାଯାଇଥିଲା । ହେଲେ ସାଜିଦଙ୍କ ଓକିଲଙ୍କୁ ଭିତରକୁ ଛାଡ଼ିନଥିଲେ ସିଆରପିଏଫ୍ ଯବାନ । ଓକିଲଙ୍କୁ ଘର ଭିତରକୁ ପ୍ରବେଶ ଅନୁମତି ନମିଳିବାରୁ ସେ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଏହାର କିଛି ସମୟ ପରେ ପଦ୍ମପୁରରେ ଜଣେ ବିଜେପି ନେତାଙ୍କ ଲୁଗାଦୋକାନ ଉପରେ ହୋଇଛି ଜିଏସଟି ରେଡ୍ । ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ସହରରେ ଥିବା ଜଗଦମ୍ବା ଲୁଗା ଦୋକାନରେ ଛାପା ମାରିଛନ୍ତି ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ଅଧିକାରୀ ।  ସଂପୃକ୍ତ ଲୁଗାଦୋକାନ ମାଲିକ ବିଜେପି ନଗର ସଭାପତି ଥିବା ଜଣାପଡ଼ିଛି । ପରେ ପଦ୍ମପୁର, ପାଇକମାଳ ଏବଂ ବରଗଡର ସାତୋଟି ଦୋକାନରେ  ନିର୍ବାଚନ ପ୍ରଚାର ବେଳେ ଏଭଳି ଆଇଟି ଓ ଜିଏସଟି ରେଡ୍‌କୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ସାଧାରଣ ପ୍ରକ୍ରିୟା ବୋଲି କହୁଥିବା ବେଳେ ସମାଲୋଚନା କରିଛନ୍ତି  କଂଗ୍ରେସ ବିଜେଡି ।

ପଦ୍ମପୁର ଉପନିର୍ବାଚନ ବେଳେ ଗୋଟିଏ ଦିନରେ ଗୋଟିଏ ପଟେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ, ପୁଣି ଅନ୍ୟପଟେ ଜିଏସଟି ଚଢ଼ାଉକୁ ଦେଖିଲେ ଉଭୟ ବିଜେଡି ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଓହ୍ଲାଇଥିବା ସାଧାରଣରେ ଆଲୋଚନା ହେଉଛି । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆର୍ପାର୍ର ଲଢ଼େଇ ଦେଖିବାକୁ ମିଳିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ଯାହାର ସଂକେତ ଛାଡ଼ିଛନ୍ତି ରାଜନୈତିକ ସମୀକ୍ଷକ ।

ସେବେ ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଏବେ ଗୁଜରାଟ୍ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ବେଳେ କେନ୍ଦ୍ରୀୟ ସଂସ୍ଥାର ଚଢ଼ାଉ ଆମେ ଦେଖିଛେ,  ଆଉ ଏବେ ଏହି କ୍ରମରେ ଯୋଡ଼ି ହୋଇଛି ଓଡ଼ିଶା । ପଦ୍ମପୁର ଉପନର୍ବାଚନ ବେଳେ କେନ୍ଦ୍ରୀୟ ଆୟକର ବିଭାଗ ଓ ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ଚଢ଼ାଉକୁ ଦେଖିଲେ ଲାଗୁଛି ଆଗକୁ ବିଜେଡି-ବିଜେପି କେହି କାହାକୁ ଇଂଚେ ବି ସ୍ପେଶ ଦେବାକୁ ଚାହୁଁ ନାହାନ୍ତି । ୨୪ ନିର୍ବାଚନରେ ହେବ ଆରପାର୍ କି ଲଢ଼େଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.