ଗୋଡ଼ ହାତ ବ୍ୟଥା ହେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କୁ ଡାକ୍ତରଖାନା ଆଣିଥିଲେ ପରିବାର, ଇଞ୍ଜେକ୍ସନ ଦେବା ପରେ ଚାଲିଗଲା ଜୀବନ

Published By : Prameya-News7 Bureau | August 10, 2021 IST

ଦାରିଙ୍ଗବାଡ଼ି, ୧୦/୦୮: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ନବମ ଶ୍ରେଣୀର ଛାତ୍ରୀର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ମା ମଞ୍ଜରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ନାବାଳିକା ଜଣକ ହେଲେ ବାଡ଼ାବାଙ୍ଗା  ପଞ୍ଚାୟତ ଅନ୍ତର୍ଗତ ନାଉଡ଼ସରୁ ଗ୍ରାମର ସୁବାସ ପ୍ରଧାନଙ୍କ ଝିଅ  ସମ୍ମରିତା ପ୍ରଧାନ(୧୪) ।

ସମ୍ମରିତା ପ୍ରଧାନ  ବାଡ଼ାବାଙ୍ଗା ସେବାଶ୍ରମରେ ଅଧ୍ୟୟନ କରୁଥିଲେ । ଆଜି ଘରେ ତାଙ୍କର ଗୋଡ଼ହାତ ବ୍ୟଥା ହେବାରୁ ମା ମଞ୍ଜରୀ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସନ୍ଧ୍ୟା ୫ ଘଣ୍ଟା ସମୟରେ ଆଣିଥିଲେ । ଡାକ୍ତର ତାଙ୍କୁ ଆଡ଼ମିଟ କରିବା ପାଇଁ କହିଥିଲେ । ଡାକ୍ତର ଘଣ୍ଟାଏ ପରେ ଆସି ଦୁଇଟି ଇଂଜେକସନ ଦେବାର କିଛି ସମୟ ପରେ, ଅର୍ଥାତ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଝିଅର ମୃତ୍ୟୁ ହୋଇଥିବା କହିଥିଲେ ।

ଏନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହିତ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ଫଳରେ ମେଡିକାଲରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ପୋଲିସ ଖବର ପାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଉତ୍ତେଜିତ ଲୋକଙ୍କୁ  ବୁଝାସୁଝା କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.