ବାରିପଦାର ନବମ ଶ୍ରେଣୀ ଛାତ୍ର ସୁମିତ କୁମାରଂକୁ ନାସା ପକ୍ଷରୁ ୧୦ କୋଟି ଟଙ୍କାର ସ୍କଲାରସିପ୍

Published By : Prameya-News7 Bureau | September 26, 2018 IST

ବାରିପଦା;୨୬/୦୯-ନବମ ଶ୍ରେଣୀ ଛାତ୍ରଙ୍କ ବିରଳ କୃତିତ୍ବ। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ୧୦ କୋଟି ଟଙ୍କାର ସ୍କଲାରସିପ୍ ସାଙ୍ଗକୁ ବିନା ଖର୍ଚ୍ଚରେ ବିଦେଶରେ ପଢ଼ିବାର ସୁଯୋଗ। ବାରିପଦା ସ୍ଥିତ ସତ୍ୟସାଇ ବିଦ୍ୟାବିହାରର ନବମ ଶ୍ରେଣୀ ଛାତ୍ର ସୁମିତ କୁମାର ସାହୁ ନିଜ ଚେଷ୍ଟା ଓ ଅଧ୍ୟବସାୟ ବଳରେ ନାସା ପ୍ରିମିଟିଭ୍ ଟେଷ୍ଟର ତୃତୀୟ ଲେଭଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଛନ୍ତି। ସିବିଏସ୍ଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ଆମେରିକାର ଟେକ୍ସଲା ୟୁନିଭର୍ସିଟିରେ ବିନା ଫି'ରେ ପଢ଼ିବାର ସୁଯୋଗ ମିଳିବ। ଏହାସହିତ ତାଙ୍କୁ ୧୦ କୋଟି ଟଙ୍କାର ସ୍କଲାରସିପ୍ ମିଳିବ। ତାଙ୍କ ବାପା ଦୁବାଇରେ ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ମା'ଙ୍କ ସହିତ ସୁମିତଙ୍କ ଶୈଶବ ମୟୂରଭଞ୍ଜର ସାରସକଣାରେ କଟିଛି। ଏହି ସଫଳତା ପାଇଁ ସେ ନିଜର ବାପା, ମା', ଅଜା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର କମ୍ପ୍ୟୁଟର ଶିକ୍ଷା ପ୍ରତି ବେଶ୍ ରୁଚି ରହିଥିବା ବେଳେ ନୂଆ ନୂଆ ବିଷୟରେ ଶିକ୍ଷାଲାଭ ପାଇଁ ବେଶ୍ ଆଗ୍ରହୀ। ଆମେରିକାରେ ଉଚ୍ଚଶିକ୍ଷା ପାଇଁ ସେ ବେଶ୍ ଉତ୍ସାହିତ ଥିବା ବେଳେ ଦେଶ ଭିତରେ ସୁଯୋଗ ପାଇଲେ ସେ କାମ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.