ଅନ୍ଧବିଶ୍ବାସ : କୁକୁର କାମୁଡାରୁ ଭଲ ହେବା ପାଇଁ କୁକୁର ମାରି ତାର କଲିଜା ଖାଇଲେ ନବମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | October 09, 2018 IST

ଲକ୍ଷ୍ମୀପୁର୯|୧୦: ଧନ୍ୟ ସେ ମାନସିକତା … ଧନ୍ୟ ସେ ଅନ୍ଧବିଶ୍ବାସ । ଏବେର ଯୁଗରେ ଏଭଳି ଅନ୍ଧବିଶ୍ବାସ ଯେ ବଞ୍ଚି ରହିଛି, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କାମୁଡ଼ା କୁକୁରର କଲିଜା ଖାଇଲେ, କାଳେ ଜଳାତଙ୍କ ହେବାର ପ୍ରଶ୍ନ ନାହିଁ । ଏଭଳି ଏକ ଅଜବ, ଖବର ଆସିଛି କୋରାପୁଟ ଲକ୍ଷ୍ମୀପୁର ବ୍ଲକରୁ । କଣ ଥିଲା ପୂରା ଘଟଣା … ଆଉ କେଉଁ ପରିସ୍ଥିତିରେ ଛାତ୍ର ଜଣକ ତାଙ୍କୁ କାମୁଡ଼ିଥିବା କୁକୁରକୁ ମାରି ତାର କଲିଜାକୁ ରାନ୍ଧି ଖାଇଲେ, ଆସନ୍ତୁ ଜାଣିବା । କୁକୁର କାମୁଡ଼ିବା ଏବେ ଆଉ ଖବର ହୋଇନାହିଁକାମୁଡ଼ା କୁକୁରକୁ ମାରି ତାର କଲିଜା ରାନ୍ଧି ଖାଇବା ଏବେ ହୋଇଛି ମୁଖ୍ୟ ଖବର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲକ୍ଷ୍ମୀପୁର ବ୍ଲକରେ । କୁକୁର କାମୁଡ଼ିବା ପରେ ଜଳାତଙ୍କ ଭୟ ଥିବାରୁ ଜଣେ ପିଲା କୁକୁରକୁ ମାରି ତାର କଲିଜାକୁ ରାନ୍ଧି ଖାଇଛି । ଏ ହେଉଛନ୍ତି ଚନ୍ଦ୍ର ନାୟକ । ତୟାପୁଟ ନେତାଜୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର । ସ୍କୁଲ ହଷ୍ଟେଲରେ ଥିବା ବେଳେ ଗତ ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଗୋଟେ କୁକୁର କାମୁଡ଼ି ଦେଇଥିଲା । ବଜାରକୁ ଯାଇ କ୍ବାକଙ୍କ ପାଖରୁ ଟିଟି ନେଇଥିଲେ । ବିନ୍ଧା ନକମିବାରୁ ମେଡିକାଲ୍ ଯାଇ ଦୁଇଟି ଆଣ୍ଟି ରାବିସ୍ ଇଞ୍ଜେକସନ୍ ନେଲେ । ହେଲେ ଘରକୁ ଯାଇ ଦେଶୀ ଚିକିତ୍ସା ଆଳରେ ସେ, ତାଙ୍କୁ କାମୁଡ଼ିଥିବା କୁକୁରକୁ ମାରି ତାର କଲିଜା ଖାଇ ଦେଇଛନ୍ତି । ଚନ୍ଦ୍ରଙ୍କୁ କୁକୁର କାମୁଡ଼ି ଥିବା ଜାଣିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ମେଡିକାଲ୍ ଯିବାକୁ ପରାମର୍ଶ ଦେଇଥିଲେ । ଏପରିକି ଯଦି ମାଗଣାରେ ଆଣ୍ଟି ରାବିସ୍ ଇଞ୍ଜେକସନ୍ ନମିଳିବ ଟଙ୍କା ଦେବାକୁ ମଧ୍ୟ କହିଥିଲେ । କିନ୍ତୁ ପୁଅର ଦେଶୀ ଚିକିତ୍ସା କରାଇବାକୁ ଚନ୍ଦ୍ରଙ୍କ ବାପା, ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ । ତାଙ୍କ ଗାଁର କିଛି ଲୋକଙ୍କୁ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ କାମୁଡ଼ା କୁକୁରକୁ ମାରି ଖାଇଥିଲେ । ଏପରିକି ତାଙ୍କ ଦାଦା ମଧ୍ୟ ଖାଇଥିଲେ । ଆଉ କୁକୁର କଲିଜା ରାନ୍ଧି ଖାଇ ସାରିବା ପରେ ଚନ୍ଦ୍ର ଏବେ ବେଶ୍ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ସଚେତନତା ଅଭାବରୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କିଏ ଦିଶାରୀ ପାଖରେ ପିଲାଙ୍କୁ ଚେଙ୍କ ଦେଉଛି ତ, ଆଉ କିଏ ସୁସ୍ଥ ହେବା ପାଇଁ ଗୁଣିଆ ପାଖରେ ଝଡ଼ାଫୁଙ୍କାର ସାହାରା ନେଉଛି । ଆଉ ଏବେ ସାମ୍ନକୁ ଆସିଲା ଆଉ ଏକ ଅଜବ ଖବର । କାମୁଡ଼ା କୁକୁରକୁ ମାରି ତାର କଲିଜା ରାନ୍ଧି ଖାଇବା ଖବର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.