ଅଯୋଧ୍ୟା ଜେଲରୁ ମୁକୁଳିଲେ ୯୮ ବର୍ଷ ବୟସ୍କ ସନ୍ଥ, ଜିପ୍ରେ ନେଇ ଆଶ୍ରମରେ ଛାଡିଲେ ଅଧିକ୍ଷକ
10/01/2023 at 3:42 PM

ଅଯୋଧ୍ୟା ୧୦।୧: ଏକ ମାରପିଟ ଘଟଣାକୁ ନେଇ ୨୦୧୬ ମସିହାରେ ଗିରଫ ହୋଇଥିବା କୁମାରଗଞ୍ଜ ଆଶ୍ରମର ବୟୋବୃଦ୍ଧ ସନ୍ଥ ରାମ ସୁରତ (୯୮)ଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଛି। ଜେଲ ଅଧିକ୍ଷକ ଶଶିକାନ୍ତ ମିଶ୍ର ସନ୍ଥ ଜେଲରୁ ବାହାରିବା ପରେ ତାଙ୍କୁ ସମ୍ମାନୀତ କରିବା ସହ ନିଜ ସରକାରୀ ଜିପ୍ରେ ବସାଇ ଆଶ୍ରମରେ ଛାଡି ଆସିଛନ୍ତି। ୨୦୨୧ ମସିହାରେ ସନ୍ଥ ରାମ ସୁରତଙ୍କ ଦଣ୍ଡ ଅବଧି ଶେଷ ହୋଇଥିଲା। ତେବେ କରୋନା କାଳ ଯୋଗୁ ସେ ଏପର୍ଯ୍ୟନ୍ତ ଜେଲରୁ ମୁକ୍ତ ହୋଇ ପାରିନଥିଲେ।

ସ୍ଥାନୀୟ ବିଜେପି ନେତା ସନ୍ଥଙ୍କ ଜରିମନା ବାବଦକୁ ୧୧ ହଜାର ୫ଶହ ଟଙ୍କା ଜେଲରେ ପୈଠ କରିବା ପରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଛି। ବୃଦ୍ଧ ସନ୍ଥ ଜେଲରୁ ମୁକ୍ତ ହେବା ପରେ ଅଧିକ୍ଷକ ଶଶି କାନ୍ତ ମିଶ୍ର ତାଙ୍କ କାର୍ଯ୍ୟାଳୟରେ ସନ୍ଥଙ୍କୁ ଫୁଷ୍ପମାଲ୍ୟ ଓ ଅଙ୍ଗବସ୍ତ୍ର ଅର୍ପଣ ପୂର୍ବକ ସମ୍ମାନୀତ କରିବାପରେ କାର୍ଯ୍ୟାଳୟ ଜିପରେ ବସାଇ ସନ୍ଥଙ୍କୁ ତାଙ୍କ ଆଶ୍ରମ ରଘୁନାଥ ଦାସ ବଡଛାଉଣୀରେ ରେ ଛାଡି ଆସିଛନ୍ତି।

୨୦୧୬ ମସିହାରେ ଆଶ୍ରମରେ ଏକ ମାରପିଟ ଘଟଣା ଘଟିଥିଲା। ଏଥିରେ ବୟୋବୃଦ୍ଧ ବାବା ରାମ ସୁରତଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିବା ବେଳେ କୋର୍ଟରେ ଅଭିଯୋଗ ସାବ୍ୟସ୍ତ ହୋଇଥିଲା। ଏଣୁ ବାବା ରାମ ସୁରତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ଜେଲଦଣ୍ଡ ଅବଧି ୨୦୨୧ ମସିହାରେ ଶେଷ ହୋଇଥିବା ସତ୍ତ୍ୱେ କରୋନା କାଳ ଯୋଗୁ ବାବାଙ୍କୁ ଜେଲରୁ ମୁକ୍ତ କରାଯାଇ ପାରିନଥିଲା।