୯୩ ନାବାଳିକାଙ୍କୁ ଉଦ୍ଧାର କଲେ RPF କର୍ମଚାରୀ, ସାଥିରେ ନଥିଲେ ପରିବାର ସଦସ୍ୟ, ୯ ଅଟକ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ରେଲୱେ ସୁରକ୍ଷା ବଳ 'ଆହାଟ୍' ଅଭିଯାନରେ ମୋଟ ୯୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ରେଲୱେ ପୋଲିସର ଜଣେ ଅଧିକାରୀ ଏହା ଉପରେ ସୂଚନା ଦେଇ କହିଛନ୍ତି ଯେ ଟ୍ରେନ ନମ୍ୱର ୧୨୪୮୭ରୁ ପ୍ରୟାଗରାଜ ଜଙ୍କସନରେ ୯୩ ନାବାଳିକାଙ୍କୁ ଓହ୍ଲାଯାଇଛି । ଏହି ନାବାଳିକାଙ୍କୁ ନେଇ ଯାଉଥିବା ୯ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି । ସେ କହିଛନ୍ତି ଯେ ଉଦ୍ଧାର ସମସ୍ତ ନାବାଳିକା ମୁସଲିମ ସମୁଦାୟର ଏବଂ ସେମାନଙ୍କ ସହ ତାଙ୍କ ପରିବାର କୌଣସି ସଦସ୍ୟ ଯାତ୍ରା କରୁ ନଥିଲେ । ଅଧିକାରୀ କହିଛନ୍ତି ଯେ ସବୁ ଝିଅମାନଙ୍କୁ ଭିନ୍ନ ଭିନ୍ନ ସହରରୁ ନିଆଯାଉଥିଲା ।

ପ୍ରୟାଗରାଜ ଜଙ୍କସନରେ ମୁୟତନ ରେଲୱେ ପୋଲିସ ବଳର ଇନସ୍ପେକ୍ଟର ଶିବ କୁମାର କହିଛନ୍ତି ଯେ ଟ୍ରେନରୁ ଓହ୍ଲାଇବା ପରେ ସମସ୍ତଙ୍କୁ ଶିଶୁ କଲ୍ୟାଣ ସମିତିକୁ ନିଆଯାଇଛି, ସେଠାରେ ସେମାନଙ୍କୁ ଦେଖାଶୁଣା ଏବଂ କାଉନସିଲିଂ କରାଯାଉଛି । ସେ କହିଛନ୍ତି ଯେ ଝିଅମାନଙ୍କୁ ଧରି ଯାଉଥିବା ଲୋକଙ୍କ ପାଖରେ ଏମାନଙ୍କୁ ନେଇ ଯିବାର କୌଣସି ବୈଧ ପ୍ରମାଣ ପତ୍ର ନାହିଁ । ଅଧିକାରୀ ଜଣକ କହିଛନ୍ତି ଯେ ଏହି ଝିଅମାନେ ବିହାରର ଅରରିୟାର ଏବଂ ଦିଲ୍ଲୀର ହୋଇଥିବା ବେଳେ କିଛି ଜଣଙ୍କୁ ରାଜସ୍ଥାନର ନାଗୋର ଜିଲ୍ଲା ଏବଂ କିଛି ଜଣଙ୍କୁ ଡେହେରାଡୁନ ନିଆଯାଉଥିଲା ।

ଅଧିକାରୀ ଜଣକ କହିଛନ୍ତି ଯେ ଉଦ୍ଧାର ହୋଇଥିବା ସମସ୍ତ ନାବାଳିକା ମୁସଲିମ ସମୁଦାୟର ଏବଂ ଏମାନଙ୍କ ବୟସ ୯ ବର୍ଷରୁ ଆରମ୍ଭ କରି ୧୨-୧୩ ବର୍ଷ ମଧ୍ୟରେ ଅଛି । ରାଜ୍ୟ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଅଖିଳେଶ ମିଶ୍ରା କହିଛନ୍ତି ଯେ ଏହି ଝିଅମାନଙ୍କୁ ବେଆଇନ ଭାବେ ନିଆଯାଉଥିଲା । ପ୍ରରାମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଝିଅମାନଙ୍କୁ ଦେଶର ବିଭିନ୍ନ ମଦରସାରୁ ନିଆଯାଉଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.