୯ ବର୍ଷର ପିଲା IPL ମ୍ୟାଚ୍ ଦେଖି ବଗିଚାରେ ଶିଖୁଥିଲା କ୍ରିକେଟ୍, ଆଜି ଲିଗ୍‌ର ସବୁଠୁ ଦାମୀ ଖେଳାଳି

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୩(ଆଇପିଏଲ) ପାଇଁ ଶୁକ୍ରବାର କୋଚିରେ ଚାଲିଥିବା ମିନି ନିଲାମରେ ଲିଗ୍‌ର ଇତିହାସରେ ସବୁଠୁ ବଡ ରେକର୍ଡ ସୃଷ୍ଟି ହୋଇଛି। ନିଲାମରେ ଜଣେ ଯୁବ ଖେଳାଳିଙ୍କ ଉପରେ ଏମିତି ଟଙ୍କା ବର୍ଷା ହୋଇଛି ଯେ, ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ଖ୍ୟାତାନାମା କ୍ରିକେଟ୍‌ଙ୍କ ଉପରେ ଏମିତି ହୋଇ ନଥିଲା। ଇଂଲଣ୍ଡର ୨୪ ବର୍ଷୀୟ ଅଲରାଉଣ୍ଡର ସାମ କୁରନଙ୍କୁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ୫୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ଲମ୍ବା ବିଡିଂ ପରେ ଶେଷରେ ପଞ୍ଜାବ କିଙ୍ଗ୍ସ କୁରନ ନିଜ ଦଳରେ ରଖିବାରେ ସଫଳ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ କୁରନଙ୍କୁ କିଣିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଛି।

୨୦୦୮ରେ ଯେବେ ଆଇପିଏଲର ପ୍ରଥମ ସଂସ୍କରଣ ଖେଳାଯାଇଥିଲା ସେହି ସମୟରେ ସାମ କୁରନଙ୍କୁ ୧୦ ବର୍ଷ ବୟସ ବି ହୋଇନଥିଲା। କ୍ରିକେଟର  ହେବାକୁ ସ୍ଵପ୍ନ  ଦେଖୁଥିବା କୁରନ ଆଇପିଏଲର ପ୍ରଥମ ସିଜିନ ଟିଭିରେ ଦେଖିଥିଲେ। ସେହି ସମୟରେ କିଏ ଜାଣିଥିଲା ଏହି ପିଲା ୨୦୨୩ରେ ଲିଗ୍‌ର ସବୁଠୁ ମହଙ୍ଗା ଖେଳାଳି ହେବାର ରେକର୍ଡ କରିବ। ଆଇପିଏଲ୍ ସମୟରେ ଦେଇଥିବା ସାକ୍ଷାତକାରରେ ସାମ କୁରନ କହିଥିଲେ, ଯେବେ ଆଇପିଏଲ ଆରମ୍ଭ ହେଲା ସେହି ସମୟରେ ତାଙ୍କର ବୟସ ୯ ବର୍ଷ ହୋଇଥିଲା। ନିଜ ଘର ବଗିଚାରେ ସେ ବାପାଙ୍କ ସହ କ୍ରିକେଟ୍ ଖେଳୁଥିଲେ। ମୁଁ ସେହି ସମୟରେ କ୍ରିକେଟ୍ ଶିଖୁଥିଲି ଏବଂ ଟିଭିରେ ଆଇପିଏଲ୍‌ରେ ବଡ ତାରକାଙ୍କୁ ବ୍ୟାଟିଂ କରିବା, ବୋଲିଂ କରିବା ଏବଂ ଚମତ୍କାର ଫିଲ୍ଡିଂ କରୁଥିବା ଦେଖୁଥିଲି।

ଆଇପିଏଲ୍‌ ନିଲାମରେ ସାମ କୁରନଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା। ଆଉ ନିଲାମରେ ଏହି ଅଲରାଉଣ୍ଡରଙ୍କୁ ୯ ଗୁଣ ଅଧିକ ମୂଲ୍ୟ ମିଳିଛି। ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କା ଏବଂ ହ୍ୟାରି ବ୍ରୁକଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୩ କୋଟି ୨୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ସାମଙ୍କ ପୂର୍ବରୁ ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ୍ ଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲରେ  ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ମହଙ୍ଗା ଖେଳାଳି ଯୁବରାଜ ସିଂ ଥିଲେ, ଯାହାଙ୍କୁ ଡେକାନ ଚାର୍ଜର୍ସ ୧୬ କୋଟି ଟଙ୍କାରେ କିଣିଥିଲା। ଇଂଲଣ୍ଡକୁ ୨୦୨୨ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ କରାଇବାରେ ସାମ କୁରନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ଫାଇନାଲ୍‌ରେ ସେ ପ୍ଲେୟାର ଅଫ ଦ ମ୍ୟାଚ୍‌ ସହିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.