ଯନ୍ତ୍ରଣା ଉପରେ ବିଜୟ : ବ୍ରେନ୍ ଟ୍ୟୁମର୍ ଅପରେସନ ବେଳେ ୬ ଘଣ୍ଟା ଧରି ପିଆନୋ ବଜାଉଥିଲା ୯ ବର୍ଷର କୁନି ଝିଅ

Published By : Prameya-News7 Bureau | December 14, 2020 IST

ନୁଆଦିଲ୍ଲୀ,୧୪/୧୨: ନୂଆଦିଲ୍ଲୀସ୍ଥିତ ବିରଲା ହସ୍ପିଟାଲରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ରହୁଥିବା ଜଣେ ୯ ବର୍ଷୀୟା ଶିଶୁର ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି । ଏହି ଶିଶୁଟିର ନାଁ ହେଉଛି ସୌମ୍ୟା । ତାଙ୍କ ମସ୍ତିସ୍କରେ ହୋଇଥିବା ଟ୍ୟୁମରକୁ କାଢିବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଯେ ଅସ୍ତ୍ରୋପଚାର ସମୟରେ ସୌମ୍ୟା ପିଆନୋ ବଜାଉଥିଲେ ।

ଅସ୍ତ୍ରୋପଚାର ପରେ ସୌମ୍ୟା କହିଛନ୍ତି ଯେ, ସେ ଦୀର୍ଘ ୬ ଘଣ୍ଟା ଧରି ପିଆନୋ ବଜାଉଥିଲେ । ଏହାସହ ମୋବାଇଲରେ ଗେମ୍ ମଧ୍ୟ ଖେଳିଥିଲେ । ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯେତେବେଳେ ସୌମ୍ୟାଙ୍କ ବାପା ମାଆ ତାଙ୍କୁ ଅପରେସନ ପାଇଁ ଆଣିଥିଲେ ସେତେବେଳେ ଡାକ୍ତରମାନେ ଏହା ଏକ କଠିନ ଅସ୍ତ୍ରୋପଚାର ବୋଲି କହିଥିଲେ । ଏପରିକି ମସ୍ତିସ୍କରେ ଥିବା କିଛି ଶିରା ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥିଲା । ପରେ ସୌମ୍ୟାଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ରାଜି ହୋଇଥିଲେ । କିନ୍ତୁ ଚାହିଁବା ଅବସ୍ଥାରେ ହିଁ ଅସ୍ତ୍ରୋପଚାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଅସ୍ତ୍ରୋପଚାର ବେଳେ ସୌମ୍ୟା ପିଆନୋ ବଜାଇଥିଲେ । ଡାକ୍ତରମାନେ ମଧ୍ୟ ତାଙ୍କୁ ପିଆନୋ ବଜାଇବାକୁ କହିଥିଲେ । ମସ୍ତିଷ୍କରେ ସାମାନ୍ୟ ଆନାସ୍ଥେସିଆ ଦିଆଯାଇ ଏହି ଅସ୍ତ୍ରୋପଚାର କରାଯାଇଥିଲା ।  

ସୌମ୍ୟାଙ୍କ ଅସ୍ତ୍ରୋପଚାର କରିଥିବା ସ୍ନାୟୁ ବିଶେଷଜ୍ଞ ଅଭିଷେକ ଚୌହ୍ୱାନ କହିଛନ୍ତି ଯେ, ଏହି ଅପରେସନ ଚ୍ୟାଲେଞ୍ଜ୍ ଥିଲା ଯାହା ସଫଳ ହୋଇଛି । ଅସ୍ତ୍ରୋପଚାର ବେଳେ ଡାକ୍ତରୀ ଟିମ୍ ସୌମ୍ୟାଙ୍କୁ ପିଆନୋ ବଜାଇବାକୁ ଦେଇଥିଲେ । କାରଣ ଯଦି ସୌମ୍ୟା ନଖେଳି ଶୋଇଯାଇଥାନ୍ତେ ତେବେ ପକ୍ଷାଘାତର ସମ୍ଭାବନା ଥିଲା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.