ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଗଲା ଏତେ କୋଟି ଟଙ୍କା, କାର ଡ୍ରାଇଭରଙ୍କ ଅକଲ ଗୁଡୁମ
21/09/2023 at 9:08 PM

ଚେନ୍ନାଇ ୨୧।୯: ଭଡ଼ା କାର ଚଳାଉଥିବା ଜଣେ ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚାନକ ୯ହଜାର କୋଟି ଟଙ୍କା ଚାଲି ଆସିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କ ଦ୍ୱାରା ଭୁଲ କ୍ରମେ ଜଣେ କାର ଡ୍ରାଇଭରଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଇଥିଲା। ତେବେ ବ୍ୟାଙ୍କ ଫୋନ କରି ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ ନ କରିବାକୁ ଡ୍ରାଇଭରଙ୍କୁ କହିଥିଲା। ଏହି ଘଟଣା ନେୟକରପଟ୍ଟି ବାସିନ୍ଦା କାରଡ୍ରାଇଭର ରାଜକୁମାର ପଲାନୀଙ୍କ ସହ ହୋଇଛି।
ରାଜକୁମାର ଭଡ଼ା କାର ଚଲାଏ ଓ କୋଡମ୍ବକମ୍ ରେ ଜଣେ ସାଙ୍ଗ ଘରେ ରହେ। ଗତ ୯ ସେପ୍ଟେମ୍ବର ଅପରାହ୍ନ ପ୍ରାୟ ୩ଟା ବେଳେ ସେ କାରରେ ଶୋଇ ଆରାମ କରୁଥିବା ବେଳେ ତା ମୋବାଇଲ ଫୋନକୁ ଏକ ଟେକ୍ସଟ ମ୍ୟାସେଜ ଆସିଥିଲା। ଏଥିରେ ତାମିଲନାଡୁର ମାର୍କେଣ୍ଟାଇଲ ବ୍ୟାଙ୍କ ତାଙ୍କ ଆକାଉଣ୍ଟରେ ୯ ହଜାର କୋଟି ଟଙ୍କା ଜମା କରିଦେଇଥିବା ଉଲ୍ଲେଖ ଥିଲା। ତେବେ କେତେ ଟଙ୍କା ଆସିଛି ସେ ନେଇ ରାଜକୁମାର ପ୍ରଥମେ ଅସମଞ୍ଜସରେ ପଡି ଯାଇଥିଲା। କାରଣ ସେ ଗଣିପାରୁ ନଥିଲା ଏମାଉଣ୍ଟରେ କେତେଟା ଶୁନ ଲାଗିଛି।

ଏହା ପୂର୍ବରୁ ରାଜକୁମାରର ବ୍ୟାଙ୍କ ଆକାଉଣ୍ଟରେ ଶେଷ ୧୫ ଟଙ୍କା ଥିଲା। ଏଣୁ ତାକୁ ଲାଗିଲା କେହି ଠକିବାକୁ ଉଦ୍ୟମ କରୁଛି। ଏଣୁ ପରୀକ୍ଷା କରିବା ପାଇଁ ସେ ବ୍ୟାଙ୍କ ଆକାଉଣ୍ଟରୁ ୨୧ ହଜାର ଟଙ୍କା ଜଣେ ସାଙ୍ଗ ପାଖକୁ ପଠେଇ ଦେଇଥିଲା। ସେତେବେଳେ ସେ ଜାଣି ପାରିଥିଲା ଯେ ତା ବ୍ୟାଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଚାଲିଆସିଛି। ଇତି ମଧ୍ୟରେ ରାଜକୁମାରକୁ ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କର ଫୋନ ଆସେ ଓ ତାକୁ ଆକାଉଣ୍ଟରେ ହାତ ନ ମାରିବାକୁ କୁହାଯାଏ।
ତେବେ ରାଜକୁମାର ସାଙ୍ଗକୁ ଆକାଉଣ୍ଟରେ ୨୧ ହଜାର ଟଙ୍କା ଟ୍ରାନ୍ସଫର କରିବା ପରେ ଆକାଉଣ୍ଟରେ ବଳକା ଟଙ୍କାକୁ ମର୍କାଣ୍ଟାଇଲ ବ୍ୟାଙ୍କ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲା। ହେଲେ ଆକାଉଣ୍ଟକୁ ଅଚାନକ ଏତେ ଟଙ୍କା ଆସିଯିବାରୁ ରାଜକୁମାର ଏ ନେଇ ପୋଲିସରେ ଅଭିଯୋଗ କରିବ ବୋଲି ବିଚାର କରୁଥିଲା। ତେବେ ବ୍ୟାଙ୍କ ପ୍ରବନ୍ଧନ ସହ ଆଲୋଚନା ପରେ ରାଜକୁମାର ଦ୍ୱାରା କାଢି ନିଆଇଥିବା ୨୧ ହଜାର ଟଙ୍କାକୁ ବାହନ ଋଣ ରୂପେ ପରିବର୍ତ୍ତିତ କରି ଦିଆଯାଇଥିଲା।