ଚୀନର ଏକ ରାଜ୍ୟରେ ପାଖାପାଖି ୯୦ ପ୍ରତିଶତ ଲୋକ କୋଭିଡ୍ ସଂକ୍ରମିତ: ରିପୋର୍ଟ
9/01/2023 at 12:42 PM

ବେଜିଂ: ଚୀନ ବର୍ତ୍ତମାନ କରୋନା କବଳରେ ଅତି ଭୟଙ୍କର ଭାବରେ ଫସିଛି। ଏକଥାକୁ ଡ୍ରାଗନ ଅସ୍ୱୀକାର କଲେ ମଧ୍ୟ ମଝିରେ ମଝିରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଉଛି। ଚୀନର ଏକା ରାଜ୍ୟରେ ପାଖାପାଖି ୯୦ ପ୍ରତିଶତ ଲୋକ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ସୋମବାର ଚୀନର ଜଣେ ବଡ଼ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶ ବର୍ତ୍ତମାନ ଅଭାବନୀୟ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରଖିଛି ବୋଲି ଅଧିକାରୀ କହିଛନ୍ତି।
ହେନାନ ଅଞ୍ଚଳର ସ୍ୱାସ୍ଥ୍ୟ କମିଶନ କାନ କ୍ୱାଚେଙ୍ଗ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ୬ ଜାନୁଆରୀ ୨୦୨୧ ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ୮୯.୦ ପ୍ରତିଶତ ଥିଲା। ହେନାନ ରାଜ୍ୟରେ ୯୯ ମିଲିୟନ ଜନସଂଖ୍ୟାରୁ ବର୍ତ୍ତମାନ ୮୮.୦୫ ମିଲିୟନ ଲୋକ କୋଭିଡ ସଂକ୍ରମିତ ଅଛନ୍ତି। ତେବେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଡାକ୍ତରଖାନାରେ ଆଡ୍ମିସନ ସଂଖ୍ୟା ଚରମ ସ୍ଥିତିରେ ଥିଲା। ହେଲେ ଏହା ପରଠାରୁ ଏଥିରେ ଧୀରେ ଧୀରେ ହ୍ରାସ ଦେଖିବାକୁ ମିଳିଛି।
ଦେଶରେ ଅର୍ଥନୀତି ଦୁର୍ବଳ ହେବା ଓ କଡ଼ା କୋଭିଡ୍ ନିୟମ ନେଇ ଲୋକଙ୍କ ଚାପ ଯୋଗୁ ଗତ ମାସରେ ଚୀନ ସରକାର କଟକଣା କୋହଳ କରିଥିଲେ। ଏହାପର ଠାରୁ ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି।