କୃଷି ଆଇନକୁ ନେଇ ବଡ଼ ଖବର; ରଦ୍ଦ କରାଯାଇଥିବା ଆଇନ୍‌ରେ ଖୁସିଥିଲେ ୮୬% କୃଷକ ସଂଗଠନ, ସୁପ୍ରିମକୋର୍ଟ କମିଟି ରିପୋର୍ଟ

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର କୃଷି ଆଇନ୍‌ ନେଇ ସୁପ୍ରିମକୋର୍ଟ ଗଠନ କରିଥିବା ଏକ କମିଟିର ବଡ଼ ଦାବି। କମିଟି ଦେଇଥିବା ରିପୋର୍ଟରେ କୁହାଯାଇଛି ଯେ ୮୬ ପ୍ରତିଶତ କୃଷକ ସଂଗଠନ ସରକାରଙ୍କର କୃଷି ଆଇନ୍‌ରେ ଖୁସୀ ଥିଲେ। ଏହି କୃଷକ ସଂଗଠନଗୁଡ଼ିକ ପାଖାପାଖି ୩ କୋଟି କୃଷକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଏହା ସତ୍ତ୍ୱେ ବି ଆଇନ ବିରୋଧରେ କିଛି କୃଷକଙ୍କ ପ୍ରଦର୍ଶନକୁ ଦେଖି କେନ୍ଦ୍ର ସରକାର ଗୁରୁ ନାନକଙ୍କ ଜୟନ୍ତୀରେ ନଭେମ୍ବର ୧୯ ତାରିଖରେ ଆଇନ୍‌କୁ ପ୍ରତ୍ୟାହାର କରିନେଇଥିଲେ।   

କୃଷି ଆଇନ୍ ନେଇ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୧ ଜାନୁଆରୀରେ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟୀ, ଶେକାରୀ ସଂଗଠନ ସହ ଜଡ଼ିତ ଅନୀଲ ଧନୱତ ଓ ପ୍ରମୋଦ କୁମାର ଜୋଶୀ ସାମିଲ ଥିଲେ। ଏହି କମିଟି ୨୦୨୧ ମାର୍ଚ୍ଚ ମାସରେ ତାର ରିପୋର୍ଟ ସୁପ୍ରିକୋର୍ଟଙ୍କୁ ଦେଇଥିଲା। ତା ସହିତ କୃଷି ଆଇନକୁ ନେଇ ରିପୋର୍ଟରେ କିଛି ପରାମର୍ଶ ବି ଦିଆଯାଇଥିଲା।  

କମିଟି ଦେଇଥିବା ପରାମର୍ଶଗୁଡ଼ିକ ହେଲା-

ଫସଲ କିଣିବା ଓ ଅନ୍ୟ ବିବାଦର ସମାଧାନ ପାଇଁ ଏକ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏଥିପାଇଁ କୃଷକ ଅଦାଲତ ଭଳି ବ୍ୟବସ୍ଥା ତିଆରି କରାଯାଇ ପାରିବ। ତା ସହିତ କୃଷିର ଭିତ୍ତିଭୂମି ସୁଧାରିବା ପାଇଁ ଏକ ସଂଗଠନ ତିଆରି କରାଯାଉ।

କୃଷକ ଓ କମ୍ପାନୀ ମଧ୍ୟରେ ଏକ ରାଜିନାମା ହେଉ, ଆଉ ସାଖି କୃଷକ ପକ୍ଷରୁ ରହିବା ଦରକାର। ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ମୂଲ୍ୟ ଯଦି କଣ୍ଟ୍ରାକ୍ଟ ପ୍ରାଇସ୍ ଠାରୁ ଅଧିକ ହୋଇଯାଏ ତେବେ ଏହାର ସମୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉ।

ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଥିବା ମୂଲ୍ୟର ଅଧିକ ପ୍ରଚାର-ପ୍ରସାର କରାଯାଉ। ଯେଉଁଥିରେ କୃଷକଟି ନୂଆ ମୂଲ୍ୟ ବିଷୟରେ ସଦ୍ୟ ସୂଚନା ପାଇପାରିବ।

ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୁଝାମଣା-

ପ୍ରଧାନମନ୍ତ୍ରୀ କୃଷି ଆଇନ୍ ରଦ୍ଦ ନେଇ ଘୋଷଣା କରିବା ପରେ ୨୦୨୧ ଡିସେମ୍ବରରେ କୃଷକ  ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶେଷ ବୈଠକରେ ଅନେକ ଦିଗରେ ସହମତି ହୋଇଥିଲା। ଏମ୍‌ଏସ୍‌ପି ସ୍ଥିର କରିବା ପାଇଁ କମିଟି ଗଠନ, ମୃତ କୃଷକଙ୍କୁ କ୍ଷତିପୂରଣ ଓ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ଲାଗିଥିବା ମାମଲା ହଟାଇବା ଦିଗରେ ସହମତି ପ୍ରକାଶ ପାଇଥିଲା।

ଏବେ ଏମ୍‌ଏସ୍‌ପି କଣ ଜାଣି ରଖନ୍ତୁ-

ଏମ୍‌ଏସ୍‌ପି ଯାହାର ପୂରା ନାମ ହେଲା- ମିନିମମ ସପୋର୍ଟ ପ୍ରାଇସ୍‌ ବା ସର୍ବନିମ୍ନ ସହାୟକ ମୂଲ୍ୟ। କୃଷି ଉତ୍ପାଦନଗୁଡ଼ିକରେ କେନ୍ଦ୍ର ସରକାର ଯେଉଁ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରନ୍ତି ତାକୁ ଏମ୍‌ଏସ୍‌ପି କହନ୍ତି। ଯଦି ବଜାରରେ ସାମଗ୍ରୀର ଦର ହ୍ରାସ ପାଏ, ତେବେ ବି ସରକାର ନିର୍ଦ୍ଧାରଣ କରିଥିବା ମୂଲ୍ୟରେ କୃଷକଙ୍କ ଠାରୁ ଫସଲ କିଣାଯିବ।  

କେଉଁ ଫସଲ ଉପରେ ଏମ୍‌ଏସ୍‌ପି ଦିଅନ୍ତି ସରକାର ?

ଖାଦ୍ୟ ଶଷ୍ୟ- ଧାନ, ଗହମ, ବାଜରା, ମକ୍କା, ଜ୍ୱାର, ମାଣ୍ଡିଆ, ଯଅ।
ଡାଲିଜାତୀୟ ଶଷ୍ୟ- ଚଣା, ହରଡ଼, ମୁଗ, ବିରି, ମୁସର,
ତେଲଜାତୀୟ ଶଷ୍ୟ- ମୁଗ, ସୋୟାବିନ, ଶୋରିଷ, ସୂର୍ଯ୍ୟମୂଖୀ, ତିଳ, ଖସା, କୁସୁମ। ତା ସହିତ ଆଖୁ, କପା, ଝୋଟ ଓ ନଡ଼ିଆରେରେ ସରକାର ଏମ୍‌ଏସ୍‌ପି ଦେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.