ବିଏସଏଫ୍‌ର ୮୫, ସିଆରପିଏଫ୍‌ର ୧୫୮ ଯବାନ କରୋନା ପଜିଟିଭ୍

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬/୦୫ : ଭାରତୀୟ ସେନାର ଆଉ ୮୫ ଜଣ ଯବାନ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ବିଏସଏଫରେ ଏଯାଏଁ ୧୫୪ ଯବାନ କରୋନା ସଂକ୍ରମିତ ହୋଇଛନ୍ତି | ଜଣେ ହେଡ଼ କନେଷ୍ଟବଳ କରୋନା ସଂକ୍ରମଣର ଶିକାର ହେବାପରେ ବିଏସଏଫର ସିଜିଓ କମ୍ପ୍ଲେକ୍ସ ସ୍ଥିତ ମୁଖ୍ୟ ଭବନକୁ ବନ୍ଦ କରିଦିଆଯାଇଥିଲା | ମୁଖ୍ୟ କାର୍ଯ୍ୟାଳୟକୁ ଖୋଲାଯାଇଛି | ବିଏସଏଫ ପ୍ରବକ୍ତା ଆଜି ସୂଚନା ଦେଇଛନ୍ତି ଯେ, କରୋନାରେ ଆକ୍ରାନ୍ତ ହୋଇଥିବା ଦୁଇ ଯବାନ ସୁସ୍ଥ ହୋଇଛନ୍ତି | ଏହା ପୂର୍ବରୁ ଦିଲ୍ଲୀରେ ବିଏସଏଫ ବିଲଡିଙ୍ଗକୁ ସାନିଟାଇଜ କରିବା ପାଇଁ ସିଲ କରାଯାଇଥିଲା|

ବିଏସଏଫ ଛଡା କେନ୍ଦ୍ରୀୟ ଅର୍ଦ୍ଧ ସୈନିକବଳର ୩୦୦ ରୁ ଅଧିକ ଯବାନ ସଂକ୍ରମିତ ହୋଇଛନ୍ତି | ହଜାର ହଜାର ଯବାନଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ଦେଶର ଆନ୍ତରିକ ସୁରକ୍ଷା ଓ ସୀମା ସୁରକ୍ଷାରେ ନିୟୋଜିତ ୫୦ ରୁ ଅଧିକ ଯବାନଙ୍କ ଚିକିତ୍ସା ଗ୍ରେଟର ନୋଏଡାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟବଳର ୨୦୦ ଶଯ୍ୟା ବିଶିଷ୍ଟ ରେଫରାଲ ହସ୍ପିଟାଲରେ କରାଯାଉଛି | ଆଇଟିବିପି ଓ ବିଏସଏଫର ମହାନିର୍ଦେଶକ ଏସ.ଏସ.ଦେଶବାଲ କହିଛନ୍ତି ଯେ, ରେଫରାଲ ହସ୍ପିଟାଲରେ ବିଶେଷ କୋଭିଡ-୧୯ ୱାର୍ଡ ପ୍ରସ୍ତୁତ କରାଯାଇଛି |

ବିଶେଷଜ୍ଞ ଡାକ୍ତରଙ୍କ ଏକ ଉତ୍କୃଷ୍ଟ ଟିମ ହସ୍ପିଟାଲରେ ଭର୍ତ୍ତି ଥିବା ସମସ୍ତ ବିଏସଏଫ ଯବାନଙ୍କ ଚିକିତ୍ସାରେ ୨୪ ଘଣ୍ଟା ଲାଗି ରହିଛନ୍ତି | ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ସଂକ୍ରମିତ ଯବାନଙ୍କ ସଂଖ୍ୟା ଗତ ଦୁଇ ଦିନରେ ୨୧ ରୁ ବୃଦ୍ଧି ପାଇ ୪୫ ରେ ପହଞ୍ଚିଛି | ଆଇଟିବିପି ମୁଖ୍ୟତଃ ଚୀନ ସୀମାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ | କେନ୍ଦ୍ରୀୟ ରିଜର୍ଭ ପୋଲିସବଳ (ସିଆରପିଏଫ)ରେ ଏଯାଏଁ ୧୫୮ ଯବାନ କରୋନା ସଂକ୍ରମଣ ଶିକାର ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୩୭ ଯବାନ କେବଳ ଦିଲ୍ଲୀର ଏକ ବାଟାଲିଅନରେ ନିୟୋଜିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.