ଖର୍ଚ୍ଚ ହୋଇଛି ରସିଦ ନାହିଁ , ହିସାବ ମିଶୁନି : ଧରାପଡିଲା ଦୁର୍ନୀତି , କଟକର ପୂର୍ବତନ ସିଡିଭିଓ ଓ ବଡବାବୁ ମିଶି ଦେବେ ୮୨ଲକ୍ଷ

Published By : Prameya-News7 Bureau | December 08, 2019 IST

କଟକ ୦୮।୧୨: ଦୁର୍ନୀତିଗ୍ରସ୍ତ ସାବଧାନ । ଧରାପଡିଲେ ଗଣିବ ତଣ୍ଡ । କଟକ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବଡଦୁର୍ନୀତିର ପର୍ଦ୍ଦାଫାଶ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶରୁ ଏହା ଜଣାପଡିଛି । ସ୍ପେଶାଲ ଅଡିଟ୍‌ରେ ଅର୍ଥ ହେରଫେର ଧରିପଡିବା ପରେ ତତ୍‌କାଳୀନ ସିଡିଭିଓ ଓ ବଡ ବାବୁଙ୍କୁ ୮୨ଲକ୍ଷ ଟଙ୍କା ଫେରାଇବାକୁ ପଡିବ। କାରଣ ସରକାରଙ୍କୁ ସୁପାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ,  ୨୦୧୦-୧୧ରୁ ୨୦୧୨-୧୩ ତିନି ଆର୍ଥିକ ବର୍ଷରେ କଟକ ସିଡିଭିଓଙ୍କ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଏନେଇ ସରକାର କଟକ ସିଡିଭିଓଙ୍କ କାର୍ଯ୍ୟାଳୟରେ ସ୍ପେସାଲ୍‌ ଅଡିଟ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଡିଭିଓ କାର୍ଯ୍ୟାଳୟରେ ୨୬.୮.୨୦୧୮ରେ ସ୍ପେସାଲ୍‌ ଅଡିଟ୍‌ କରାଯାଇଥିଲା । ଅଡିଟ୍‌ରେ ତିନିଟି କ୍ଷେତ୍ରରେ ସବୁଠାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାର ତଥ୍ୟ ସାମ୍ନାକୁ ଆସିଛି ।  ତିନି ବର୍ଷରେ ପଶୁଧନର ଉନ୍ନତିକରଣ(ଏ.ଏଚ୍‌ ଆକ୍ଟିଭିଟିଜ୍‌)ପାଇଁ ଅଫିସ ତରଫରୁ ପ୍ରାୟ ୬୬ ଲକ୍ଷ ୧୨ ହଜାର ୫୦୮ ଟଙ୍କା ଖର୍ଚ୍ଚ ହୋଇଥିବା ଜେନେରାଲ୍‌ କ୍ୟାସ୍‌ ବୁକ୍‌ରେ ଉଲ୍ଲେଖ ଅଛି , କିନ୍ତୁ ଅର୍ଥ ଖର୍ଚ୍ଚ ସମ୍ପର୍କିତ କୌଣସି ବିଲ୍‌ କିମ୍ବା ଭାଉଚର ଅଫିସରେ ନାହିଁ ।

ସେହିପରି ଡିଏଲ୍‌ଆର୍‌ଡିଏସ୍‌ ଫଣ୍ଡରୁ ୮ ଲକ୍ଷ ୫୩ ହଜାର ୩୯୬ ଟଙ୍କା ଖର୍ଚ୍ଚ କରାଯାଇଛି । ଅଫିସ ପାଇଁ ବିଭିନ୍ନ ସାମଗ୍ରୀ, ଚେୟାର ଟେବୁଲ୍‌ ଓ ଅନ୍ୟାନ୍ୟ ଜିନିଷ ଏହି ଅର୍ଥରେ କିଣାଯାଇଛି ବୋଲି ଡିଏଲ୍‌ଆର୍‌ଡିଏସ୍‌ କ୍ୟାସ୍‌ ବୁକ୍‌ରେ ଉଲ୍ଲେଖ ରହିଛି ।  ସ୍ପେସାଲ୍‌ ଅଡିଟ୍‌ ସମୟରେ ଷ୍ଟକ୍‌ ରେଜିଷ୍ଟର ଓ ଷ୍ଟକ୍‌ ଏଣ୍ଟ୍ରି ଅଫିସ ତରଫରୁ ହିସାବ ପ୍ରଦାନ କରାଯାଇ ପାରିନଥିଲା ।ସେହିଭଳି , ୧.୮.୨୦୧୬ ତାରିଖ ପର୍ଯ୍ୟନ୍ତ କ୍ୟାସ୍‌ ବୁକ୍‌ରେ କ୍ଲୋଜିଂ ବାଲାନ୍ସ ୨୨ ଲକ୍ଷ ୮୩ ହଜାର ୮୪୨ ଟଙ୍କା ଥିବା ବେଳେ ଏହି ସମୟରେ ଦୁଇଟି ବ୍ୟାଙ୍କ୍‌ ଖାତାରେ ମୋଟ୍‌ ୨୬ ଲକ୍ଷ ୪ ହଜାର ୮୬୨ ଟଙ୍କା ଡିପୋଜିଟ୍‌ ରହିଥିଲା । ସ୍ପେସାଲ୍‌ ଅଡିଟ୍‌ ପରେ ଏହି ବାବଦରେ ୮ ଲକ୍ଷ ୫୩ ହଜାର ୩୯୬ ଟଙ୍କା ହେରଫେର ହୋଇଥିବା ଦର୍ଶାଯାଇଛି । ଏଥି ସହିତ ଆଉଟ୍‌ ଷ୍ଟାଣ୍ଡିଂ କଷ୍ଟ ଅଫ୍‌ ଭ୍ୟାକ୍‌ସିନ୍‌ରେ ପ୍ରାୟ ୩ ଲକ୍ଷ ୫୭ ହଜାର ୧୩ଟଙ୍କା ହେରଫେର ହୋଇଥିବା ଅଡିଟ୍‌ କହିଛି ।

ତେଣୁ ତତ୍‌କାଳୀନ ସିଡିଭିଓ ଡା. ରମେଶ ଚନ୍ଦ୍ର ବେହେରା ଓ ହେଡ୍‌ କ୍ଲର୍କ ଅଶୋକ କୁମାର ମହାପାତ୍ରଙ୍କଠାରୁ ଏହି ଅର୍ଥ ଫେରସ୍ତ ଅଣାଯାଉ ବୋଲି ଅଡିଟ୍‌ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.