ବଢ଼ିଲା ଅତ୍ୟାବଶ୍ୟକୀୟ ୮୦୦ ଔଷଧର ମୂଲ୍ୟ; ପାରାସିଟାମଲ, ଏଣ୍ଟିବାୟୋଟିକ୍ସ ଓ ପେନ୍ କିଲର୍ସ ମୂଲ୍ୟ ବୃଦ୍ଧି

Published By : Prameya-News7 Bureau | April 01, 2022 IST

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ସିଏନ୍‌ଜି, ପିଏନ୍‌ଜି, ଖୀର ଓ ପନିପରିବାର ମୂଲ୍ୟ ବଢ଼ିବା ପରେ ଏବେ ଜୀବନ ଦେଉଥିବା ଔଷଦ ଦାମ ବି ବଢ଼ିଲା। ଆଜିଠାରୁ ଅତ୍ୟାବଶ୍ୟକୀୟ ଶ୍ରେଣୀରେ ଥିବା ୮୦୦ଟି ଔଷଧର ମୂଲ୍ୟ ବୃଦ୍ଧି ପାଇଛି। ଏଥିରେ ପାରାସିଟାମଲ, ଏଣ୍ଟିବାୟୋଟିକ୍ସ ଓ ତମାମ ପେନ୍ କିଲର୍ସ ରହିଛି।

ଏହିସବୁ ଔଷଧର ଦାମ ୧୦ ପ୍ରତିଶତରୁ ଅଧିକ ବଢ଼ାଇବା ପାଇଁ ସରକାର ପୂର୍ବରୁ ଅନୁମତି ଦେଇସାରିଥିଲେ।ଦେଶର ଔଷଧଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଫାର୍ମାସୁଟିକଲ ପ୍ରାଇସିଂ ଅଥୋରିଟି(NPPA) ଏହି ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛି। ହୋଲ୍‌ସେଲ ମୂଲ୍ୟ ୧୦.୭ ପ୍ରତିଶତ ବଢ଼ାଇବାକୁ କମ୍ପାନୀମାନଙ୍କୁ ସବୁଜ ସଂକେତ ମିଳିଛି।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ଆର୍ଥିକ ଉପଦେଷ୍ଟା କାର୍ଯ୍ୟାଳୟ ପକ୍ଷରୁ ହୋଲ୍‌ସେଲ ମୂଲ୍ୟ ବୃଦ୍ଧିର ତଥ୍ୟ ଆଧାରର ଏମିତି କରାଯାଇଛି। ଏହି ତଥ୍ୟରେ ହୋଲ୍‌ସେଲ୍ ମୂଲ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ୧୦.୦୭ ପ୍ରତିଶତ ମୂଲ୍ୟ ପରିବର୍ତ୍ତନ ହୋଇଛି।

ମୂଲ୍ୟ ବୃଦ୍ଧି ହୋଇଥିବା ଔଷଧଗୁଡ଼ିକ ଭିତରେ , ଜ୍ୱର ଔଷଧ, ଚର୍ମ ସଂକ୍ରମଣ ଔଷଧ, ରକ୍ତ ଚାପ, ହୃଦ୍‌ରୋଗ ଭଳି ତମାମ ରୋଗର ଆବଶ୍ୟକୀୟ ଔଷଧ ସାମିଲ ରହିଛି। ଏଥିରେ ପାରାସିଟାମଲ, ଏଜିଥ୍ରୋମାଇସିନ୍, ଭିଟାମିନ ସି ଔଷଧ, ଇନ୍‌ସୁଲିନ ଇଞ୍ଜେକ୍ସନ, ଓରଲ ସଲ୍‌ଟ, ମଲ୍ଟିଭିଟାମିନ ଟାବ୍‌ଲେଟ, ସିପ୍ରୋଫ୍ଲକ୍ସିନ, ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନିଡେଜୋଲ, ଫେନୋବାବ୍ରିଟୋନ, ଫେନିଟୋଇନ ସୋଡିୟମ, ହାଇଡ୍ରୋକ୍ଲୋରାଇଡ, କଣ୍ଡୋମ ଆଦିର ମୂଲ୍ୟ ବୃଦ୍ଧି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.