ସ୍ୱାଭିମାନ ଆଗରେ ହାର ମାନିଛି ଗରିବୀ, ବୟସର ଅପରାହ୍ନରେ ବି ନିଜେ ପୋଷୁଛନ୍ତି ନିଜ ପେଟ

Published By : Prameya-News7 Bureau | November 03, 2022 IST

ଯାଜପୁର(୦୩/୧୧): ଦୁଲୁକୁଛି ଭାଇଚାରାର ସହର ଯାଜପୁର । ସଞ୍ଜ ନଇଁଲେ ସହରକୁ ଛୁଟି ଆସୁଛନ୍ତି ହଜାର ହଜାର ଲୋକ । ପରିବାର, ବନ୍ଧୁ ଏବଂ ପରିଜନଙ୍କୁ ସହ ନେଉଛନ୍ତି ପୂଜାର ଆନନ୍ଦ। ଯାଜପୁର କୁସୁମା ନିକଟରେ ଆୟୋଜିତ ହୋଇଥିବା ବାଣିଜ୍ୟ ମେଳାରେ ଲାଗିଛି ଲୋକଙ୍କ ଭିଡ଼। ମେଳାରେ ଆୟୋଜିତ ହେଉଛି ମିନାବଜାର । ସାଜସଜ୍ଜା ଓ ଝିଲିମିଲି ଆଲୁଅରେ ନିଜକୁ ହଜାଇ ଦେଉଛନ୍ତି ହଜାହଜାର ଲୋକ । ବିଭିନ୍ନ ଘର କରଣା ଜିନିଷପତ୍ର ଓ ପିଲାଙ୍କ ପାଇଁ ଖେଳଣା କିଣିବାକୁ ସମସ୍ତେ ତତ୍ପର ।

ତେବେ ଏହି ମେଳାର ଚାକଚକ୍ୟ ମଧ୍ୟରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ। ମେଳାର ଗୋଟିଏ ଦ୍ୱାର ସମ୍ମୁଖରେ ବସିଛନ୍ତି ଜଣେ ଵୃଦ୍ଧ । ରୁଗ୍ଣ ଶରୀର, ଛିଣ୍ଡା ବସ୍ତ୍ର, ଆଖିରେ ଚଷମା, ମୁଣ୍ଡରେ ଟୋପି । ବାମ ହାତରେ ଗୁଡା ହୋଇଛି କପଡା । କଥା କହୁ ନାହାନ୍ତି । କେବଳ ଗୁଣୁ ଗୁଣୁ ହୋଇ କଣ ଗାଉଛନ୍ତି । ହେଲେ ତାଙ୍କୁ ଦେଖି ବାଟ ଭାଙ୍ଗି ଚାଲି ଯାଉଛନ୍ତି ଲୋକମାନେ । ଯେଉଁମାନେ ଚାଲି ଯାଉଛନ୍ତି ସେମାନଙ୍କ ଆଖି ନିଶ୍ଚିତ ଧୋକା ଦେଉଛି ସେମାନଙ୍କୁ । ଟିକେ ନିରିଖେଇ ତାଙ୍କୁ ଦେଖିଲେ ତାଙ୍କ ଭିତରେ ଥିବା ପ୍ରଚଣ୍ଡ ସ୍ୱାଭିମାନକୁ ଜାଣିହେବ । ଭାବୁଥିବେ ପରିଣତ ବୟସରେ ତାଙ୍କୁ ଭିକ ମାଗୁଛନ୍ତି। କିନ୍ତୁ ଏହି ଧାରଣା ଭୁଲ୍ । ବୃଦ୍ଧ ଜଣକ ନିଜ ନିକଟରେ ସେ ରଖିଛନ୍ତି ପେନ୍ । ଯାହାକୁ ବିକ୍ରି କରି ନିଜ ପେଟ ପୋଷୁଛନ୍ତି।

ମୂଲ୍ୟ ପଚାରିବାରୁ କିଛି ନକହି ପାଖରେ ଥିବା ଟଙ୍କା ଦେଖାଇ ଗୋଟିଏ ପେନକୁ ୧୦ ଟଙ୍କା ବୋଲି ଇଶାରା ଦେଉଛନ୍ତି । କିଏ ନେଉଛି ତ କିଏ ନେଉ ନାହିଁ । ତାଙ୍କୁ ତାଙ୍କ ନାଁ ଓ ଠିକଣା ବିଷୟ ରେ ପଚାରିଲେ ବି କିଛି କହୁ ନାହାନ୍ତି । ହେଲେ ଏଭଳି ଅବସ୍ଥାରେ ବସି ପେନ ବିକ୍ରି କରିବା ତାଙ୍କ ଆର୍ଥିକ ଅବସ୍ଥାକୁ ସୂଚାଉଛି । ସରକାରଙ୍କ ମାଳମାଳ ଯୋଜନା ନିଶ୍ଚିତ ତାଙ୍କ ନିକଟରେ ପହଂଚି ନଥିବ । ତାଙ୍କ ଗରିବୀ ତାଙ୍କୁ ନିଶ୍ଚିତ ଏହି ଅବସ୍ଥାକୁ ଟାଣି ଆଣିଛି । ସେ କିଏ, ତାଙ୍କ ପରିଚୟ କଣ ? କାହିଁକି ଏ ବୟସରେ ସେ ଏହି କାମ କରୁଛନ୍ତି ।

ଏମିତି ଅନେକ ଅସମାହିତ ପ୍ରଶ୍ନ ତାଙ୍କୁ ଦେଖିଲେ ମନରେ ଉଙ୍କି ମାରିବା ସ୍ୱାଭାବିକ । ଜିଲ୍ଲା ପ୍ରଶାସନ ତାଙ୍କ ବିଷୟରେ ଖବର ନେଇ ତାଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ହୋଇଛି । ତାଙ୍କୁ ସହାୟତା ପ୍ରଦାନ କଲେ ହୁଏତ ପରିଣତ ବୟସରେ ଟିକିଏ ଖୁସି ପାଇବାରେ ସକ୍ଷମ ହୁଅନ୍ତେ । ହୁଏତ ଏହି ପ୍ରଚଣ୍ଡ ସ୍ୱାଭିମାନୀ ମଣିଷ ଜଣକୁ କେହି ଭିକାରୀ ବୋଲି ଭାଵନ୍ତେ ନାହିଁ । ପ୍ରଶାସନ କଣ ସତରେ ତାଙ୍କ ପ୍ରତି ସଦୟ ହେବ, ତାଙ୍କୁ ସହାୟତା ର ହାତ ବଢ଼ାଇବ । କେଜାଣି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.