ଦିନକୁ ଦିନ ରାଜ୍ୟରେ ବଢ଼ୁଛି ସାଇବର ଅପରାଧ, ଅଗଷ୍ଟ ମାସରେ ୮୦ ଲକ୍ଷ ଚୂନା ଲଗାଇଛନ୍ତି ଲୁଟେରା

Published By : Prameya-News7 Bureau | September 08, 2022 IST

ଭୁବନେଶ୍ୱର, ୦୮/୦୯: ବଦଳୁଛି ଦୁନିଆ, ବଦଳୁଛି ବଞ୍ଚିବାର ଢାଞ୍ଚା, ତା ସହ ବଦଳୁଛି ଠକେଇର ତରିକା। ଲୋକଙ୍କୁ ଲୁଟିବାକୁ ସାଇବର ଠକେଇର ବାଟ ବାଛିନେଇଛନ୍ତି ବହୁ ଲୁଟେରା। ଏବେ ପ୍ରତି ୧୦ରୁ ୬ ଜଣ ଲୋକେ ସାଇବର ଲୁଟର ଶିକାର ହେଉଛନ୍ତି। ଏଥିରୁ ନା ବର୍ତ୍ତି ପାରିଛନ୍ତି ନେତା, ଅଭିନେତା ନା ସାଧାରଣ ଜନତା । ସାଧା ସିଧା ଜୀବନ ବଞ୍ଚୁଥିବା ଲୋକ ବି ସାଇବର ଲୁଟର ଶିକାର ହେଉଛନ୍ତି। ପାଠ ପଢିଥିବା ବହୁ ଶିକ୍ଷିତ ଲୋକ ବି ସାଇବର ଠକଙ୍କ ଜାଲରେ ଛନ୍ଦି ହେଉଛନ୍ତି। ଖାସ କରି ରାଜଧାନୀରେ ମାତିଛନ୍ତି ଏହି ସାଇବର ଠକ।

କ୍ରେଡିଟ କାର୍ଡ, ଇଲେକ୍ଟ୍ରିବିଲ ଅପଡେଟ କରେଇ ଦେବା କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି ଏହି ସାଇବର ଠକ । କେବଳ ଲୁଟ ନୁହେଁ, ପ୍ରତିଶୋଧ ନେବା ପାଇଁ ଫଟୋ ଏଡିଟ କରି ଭାଇରାଲ ମଧ୍ୟ କରୁଛନ୍ତି । ସାଇବର କ୍ରାଇମ ଓ EO PS ଭୁବନେଶ୍ବରର ମାସିକ ରିପୋର୍ଟ ଅନୁଯାଇ ଗତ ଅଗଷ୍ଟ ମାସରେ ୩୪୪ଟି ଫ୍ରଡ କଲ ରିସିଭ ହୋଇଛି । ଯେଉଁଥିରୁ ୨୯୮ଟି କଲ କେବଳ ଭୁବନେଶ୍ବର ଓ ୪୬ଟି କଲ ଅନ୍ୟ ଜିଲ୍ଲାରେ ରିସିଭ୍‌ ହୋଇଛି। ରାଜଧାନୀରେ ରିସିଭ ହୋଇଥିବା ୨୯୮ କଲ ମଧ୍ୟରୁ ୧୦୭ଟି UPI ଫ୍ରଡ, ୧୧୦ଟି କ୍ରେଡିଟ/ ଡେବିଟ କାର୍ଡ ଫ୍ରଡ ଏବଂ ୮୧ଟି ସୋସିଆଲ ମିଡିଆ ସମ୍ବନ୍ଧୀୟ ଫ୍ରଡ ରହିଛି । ଏହି ରିପୋର୍ଟ ଅନୁଯାଇ ରାଜଧାନୀରେ ୬ଟି ସାଇବର ଠକେଇର ମାମଲା ରୁଜୁ ହୋଇଛି ଓ ମୋଟ ୭୯,୯୮,୫୭୧ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଯେଉଁଥିରୁ ୨୬,୨୮,୩୫୪ ଟଙ୍କା ଲୋକଙ୍କୁ ଫେରାଇବାରେ ସକ୍ଷମ ହୋଇପାରିଛନ୍ତି ସାଇବର ଥାନା ପୋଲିସ । ସର୍ବମୋଟ ୩୨,୩୯,୯୧୭ ଟଙ୍କା ଫେରସ୍ତ ହୋଇପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.