ପଦ୍ମପୁର ଉପନିର୍ବାଚନରେ ବମ୍ପର ଭୋଟିଂ, ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ, ଇଭିଏମରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

Published By : Prameya-News7 Bureau | December 05, 2022 IST

ପଦ୍ମପୁର/ଭୁବନେଶ୍ଵର:  ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍ । ଇଭିଏମରେ ସିଲ୍ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା  ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଛି । ଭୋଟ୍ ସମୟରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପଟେ ନିଜ ନିଜ ଅଂଚଳରେ ହୋଇଥିବା ବୁଥରେ ଯାଇ ଭୋଟ୍ ଦେଇଛନ୍ତି ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ ।

ପଦ୍ମପୁରରେ କାଁ ଭାଁ ଉତ୍ତେଜନାକୁ ଛାଡ଼ିଦେଲେ ଶାନ୍ତି ଶୃଙ୍ଖଳାର ସହ ସରିଛି ମତଦାନ ପ୍ରକ୍ରିୟା । ୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ଣ ୪ରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ  ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା ।  ଏବେ ୩୧୯ ବୁଥରୁ ଇଭିଏମ ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିଆଯାଇ ପଦ୍ମପୁର ଆରଏମସିରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍କୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପଦ୍ମପୁରରେ ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ଭୋଟ୍ ଦେବାକୁ ଲମ୍ବା ଧାଡ଼ି ଲଗାଇଥିଲେ ଭୋଟର । ପ୍ରଥମ ଭାଗରେ ବୁଥ ଗୁଡ଼ିକରେ ଅଧିକ ଥିଲା ମହିଳା ଭୋଟରଙ୍କ ଭିଡ଼ ।  ଏହାରି ଭିତରେ ସକାଳୁ ସକାଳୁ ନିଜ ନିଜ ବୁଥରେ ଭୋଟ ଦେବାକୁ ହାଜର ହୋଇଯାଇଥିଲେ ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରାଜାପଡ଼ା ସ୍କୁଲରେ ହୋଇଥିବା ୨୧୩ ନମ୍ବର ବୁଥରେ ନିଜର ଭୋଟ୍ ଦେଇଥିଲେ । ଲୋକଙ୍କ ସହ ଧାଡ଼ିରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ ବର୍ଷା । ଭୋଟ୍ ଦେଇ ବାହାରିବା ପରେ ଗଣମାଧ୍ୟମ ସାମ୍ନାରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହା ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପାଇକମାଳସ୍ଥିତ ସରକାରୀ ସ୍କୁଲରେ ହୋଇଥିବା ୧୨୮ ନମ୍ବର ବୁଥରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ପ୍ରଦୀପଙ୍କ ମାଆ ଓ ପତ୍ନୀ । ଖୁବ୍ ଉତ୍ସାହର ସହ ଭୋଟ୍ ଦେଇ ବାହାରିବା ପରେ ନିଜ ପ୍ରତିକ୍ରିୟାରେ ପ୍ରଦୀପ କହିଥିଲେ ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ବିବେକ୍ ଅନୁସାରେ ଭୋଟ୍ ଦିଅନ୍ତୁ ।

୩ବର୍ଷ ପରେ ପୁଣି ଗୋଟେ ଉପନିର୍ବାଚନକୁ ସାମ୍ନା କରିଥିବା ପଦ୍ମପୁରବାସୀଙ୍କ ଭିତରେ ମତଦାନକୁ ନେଇ ଦେଖିବାକୁ ମିଳିଥିଲା ଅପୂର୍ବ ଉତ୍ସାହ । ଯାହା ଭୋଟିଂ ପର୍ସେଣ୍ଡେଜ୍ରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସକାଳୁ ସକାଳୁ ବହୁ ସଂଖ୍ୟାରେ ମହିଳାମାନେ ଭୋଟ୍ ଦେବାକୁ ବୁଥ ଗୁଡ଼ିକରେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ । ଘରକାମକୁ ପଛରେ ପକାଇ ପ୍ରଥମେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିଲେ । ବାଡ଼ି ଧରି ନିଜ ସମ୍ପର୍କୀୟଙ୍କ ସହ ଭୋଟ୍ ଦେବାକୁ ଆସିଥିଲେ ବୟସ୍କ । କେବଳ ବୟସ୍କ କାହିଁକି, ଭିନ୍ନକ୍ଷମମାନେ ବି ହ୍ବିଲ୍ ଚେୟାରରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ସ୍କୁଲ ପିଲାମାନେ ସ୍ବେଚ୍ଛାସେବୀ ସାଜି ବୟସ୍କ ଓ ଭିନ୍ନକ୍ଷମଙ୍କୁ ହ୍ବିଲ୍ ଚେୟାରେ ବସାଇ କିମ୍ବା ଧରି ଧରି ବୁଥ ଭିତରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ କମିଶନଙ୍କ ପକ୍ଷରୁ ଭିନ୍ନକ୍ଷମ ଓ ବୟସ୍କଙ୍କୁ ଘରୁ ଆସିବା ଲାଗି ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଥିଲା ୬ଟି ପିଙ୍କ୍ ବୁଥ, ୧୫ଟି ମଡେଲ ବୁଥ । ଦେଖନ୍ତୁ କିଭିଳି ପିଙ୍କ୍ ବେଲୁନରେ  ସଜା ହୋଇଥିଲା ଏସବୁ ପିଙ୍କ୍ ବୁଥ ଗୁଡ଼ିକୁ । ବୁଥରେ ନିୟୋଜିତ ମହିଳା ଅଧିକାରୀମାନେ ମଧ୍ୟ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମତଗ୍ରହଣ ପ୍ରକ୍ରିୟାକୁ ଆଗକୁ ବଢ଼ାଉଥିଲେ । ଯାହା ଗଣତନ୍ତ୍ରର ଉତ୍ସବରେ ସାମିଲ ହେବାକୁ ଭୋଟରଙ୍କୁ ଅଧିକ ଉତ୍ସାହିତ କରୁଥିଲା ।    ଏବେ ନିଜର ନୂଆ ବିଧାୟକ ବାଛି ସାରିଛନ୍ତି ପଦ୍ମପୁର ଭୋଟର ।  ଇଭିଏମ୍ରେ ସିଲ୍ ହୋଇସାରିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ୮ ତାରିଖରେ ଗଣତି ପରେ ଜଣାପଡ଼ିବ କାହା ମୁଣ୍ଡରେ ସୁନା କଳସି ଢ଼ାଳିଛନ୍ତି ପଦ୍ମପୁରବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.