ବଡୋଦରା ୧୪।୫: ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏଠାରେ ନର୍ମଦା ନଦୀରେ ୮ ଜଣ ବୁଡି ଯାଇଛନ୍ତି। ଏହି ଦୁର୍ଘଟଣା ବଡୋଦରାସ୍ଥିତ ପୋଇଚା ଟୁରିଷ୍ଟ ପ୍ଲେସ୍ରେ ହୋଇଛି। ଲୋକେ ସେମାନଙ୍କ ମାନସିକ ପୂରଣ ନିମନ୍ତେ ନର୍ମଦା ପରିକ୍ରମା କରୁଥିଲେ। ନଦୀରେ ବୁଡି ଯାଇଥିବା ସମସ୍ତ ୮ ଜଣ ସୁରଟର ସାନିୟା ହେମଦ ଗାଁର ବାସିନ୍ଦା। ବୁଡାଳୀ ଓ ଏନଡିଆରଏଫ ସହାୟତାରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଉଦ୍ଧାରକାରୀ ଦଳ ନଦୀରୁ ଜଣକୁ ଉଦ୍ଧାର କରିଥିବା ଜଣାପଡିଛି।
ସାନିୟା ହେମଦ ଗାଁର ଭରତ ଭାଇଙ୍କ ପରିବାର ୧ରୁ ୭ ମେ ପର୍ଯ୍ୟନ୍ତ ଘରେ ଶ୍ରୀମଦ ଭାଗବତ କଥା କରାଇଥିଲେ। ଏହି ସମୟରେ ସେମାନେ ମାନସିକ କରିଥିଲେ ଯେ ଯଦି ଭାଗବତ କଥା ଭଲରେ ଭଲରେ ସମ୍ପନ୍ନ ହୋଇଯାଏ ପରିବାର ସହିତ ନର୍ମଦା ନଦୀ ପରିକ୍ରମା କରିବେ। ସେହି ଅନୁସାରେ ଭରତ ଭାଇଙ୍କ ପରିବାର ମଙ୍ଗଳବାର ନର୍ମଦା ପରିକ୍ରମାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ନର୍ମଦା ନଦୀ ପରିକ୍ରମା କରିବାକୁ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି। ତେବେ ପ୍ରଶାସନ ନର୍ମଦା ନଦୀ ପରିକ୍ରମା ଉପରେ ରୋକ ଲଗାଇଛନ୍ତି। ନର୍ମଦା ନଦୀରେ ନିର୍ମିତ ସର୍ଦ୍ଦାର ସରବର ଡ୍ୟାମରୁ ପାଣି ଛଡଯାଉଥିବାରୁ ପ୍ରଶାସନ ପରିକ୍ରମା ନ କରିବାକୁ ସୂଚନା ଜାରି କରିଛନ୍ତି। ଏବା ସତ୍ତ୍ୱେ ଲୋକେ ନର୍ମଦା ପରିକ୍ରମା କରୁଛନ୍ତି। ଡ୍ୟାମରୁ ପାଣି ଛଡାଯାଉଥିବାରୁ ନର୍ମଦା ନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ ପୋଲ ମଧ୍ୟ ଭାସିଯାଇଛି। ଏଥିରେ ଏଠାରେ ପରିକ୍ରମା କରିବା ଅତ୍ୟନ୍ତ ବିପଦଜନକ ହୋଇଥିଲେ ହେଁ ଲୋକେ ପରିକ୍ରମା କରିବାକୁ ଆସୁଛନ୍ତି।