ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ମୂଷା, ସଟ୍‌ସର୍କିଟ ଯୋଗୁଁ ୮ ଘଣ୍ଟା ଅନ୍ଧାରରେ ରହିଲା ୮ ପଞ୍ଚାୟତ

Published By : Prameya-News7 Bureau | October 12, 2022 IST

ନବରଙ୍ଗପୁର: ଗୋଟିଏ ମୂଷା ପାଇଁ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୮ ଟି ପଂଚାୟତରେ ବଦ୍ୟୁତ୍ ସେବା ଠପ୍। ଦୀର୍ଘ ୮ ଘଣ୍ଟା ଧରି ଅନ୍ଧାରରେ ରହିଲେ ହଜାର ହଜାର ଲୋକେ। ଆଉ ମରାମତି ସମୟରେ  କଲବଲ ହେଲେ ବିଦ୍ୟୁତ ବିଭାଗ କର୍ମଚାରୀ।

ଘଟଣା ଅନୁସାରେ ତେନ୍ତୁଳିଖୁଣ୍ଟି ସ୍ଥିତ ବିଦ୍ୟୁତ ବିଭାଗର ସବଷ୍ଟେସନରେ ଥିବା ଏକ ୫ MVA କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଉପରେ ସକାଳ ଭୋର ୫ ଟା ସମୟରେ ଗୋଟିଏ ମୂଷା ଚଢିଯାଇଥିଲା। ଫଳରେ ସର୍ଟସର୍କିଟ ଘଟି ମୂଷା ମରିଯିବା ସହ ଟ୍ରାନ୍ସଫର୍ମରରେ ନିଆଁ ଲାଗିଯାଇଥିଲା। ଆଉ ନନ୍ଦାହାଣ୍ଡି ବ୍ଲକର ଦୁଇଟି ପଞ୍ଚାୟତ ଓ ତେନ୍ତୁଳିଖୁଣ୍ଟି ବ୍ଲକର ୬ଟି ପଞ୍ଚାୟତରେ ବିଦ୍ୟୁତ ସେବା ଠପ ହୋଇଯାଇଥିଲା। ଯାହାଫଳରେ ୮ ଟି ପଞ୍ଚାୟତର ୬ ହଜାରରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଥିଲେ। ଗୋଟିଏ ମୂଷା ଲାଗି ହଜାର ହଜାର ଲୋକଙ୍କୁ ଦୀର୍ଘ ଆଠ ଘଣ୍ଟା ଧରି ଅନ୍ଧାର ଭିତରେ ରହିବାକୁ ପଡିଥିଲା।

ମୂଷାର ଏହିଭଳି କାରନାମା ପରେ ମୂଷା ନିଆଁରେ ପୋଡି ତନ୍ଦୁରି ହୋଇଯାଇଥିଲା କିନ୍ତୁ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ମଚାରୀ ଙ୍କୁ ଅଧା ଦିନ ନାକେଦମ ହେବାକୁ ପଡିଥିଲା l ଭୋର ୫:୩୦ ରୁ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୮ ଟି ପଂଚାୟତ ରେ ବିଦ୍ୟୁତ ସେବା ଠପ ହୋଇଯାଇଥିବା ବେଳେ ଅପରାହ୍ନ ୩ ଟାରେ ଉଭୟ ବ୍ଲକବାସୀ ବିଦ୍ୟୁତ ସେବା ପାଇଥିଲେ।

ତେନ୍ତୁଳିଖୁଣ୍ଟି ସଦର ମହାକୁମାରେ ଟାଟା ପାୱାର କାର୍ଯ୍ୟାଳୟ ରହିଛି l ସେଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡ଼ାବାଇ, ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଲମତାଗୁଡା, ମଞ୍ଚଗାଁ ପଂଚାୟତ ଓ  ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ଓ ଧଣ୍ଡରା ପଂଚାୟତ କୁ ବିଦ୍ୟୁତ ସରବରାହ ହେଉଛି l

ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଟ୍ରାନ୍ସଫର୍ମର ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। ଏହା ପରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ସକାଶେ  ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢ଼ୀ ଙ୍କ ସହ ଜୟପୁର ଇଞ୍ଜିନିଅର ସୁଭେନ୍ଦୁ ସାହୁ ଓ ଜୟପୁର ଇଏମଆର ଷ୍ଟାଫ ତେନ୍ତୁଳିଖୁଣ୍ଟି ଟାଟା ପାୱାର କାର୍ଯ୍ୟାଳୟ ରେ ପହଂଚି ଅନ୍ୟ କର୍ମଚାରୀଙ୍କ ସହଯୋଗରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଜାଡ଼ିବା ରେ ସକ୍ଷମ ହୋଇଥିଲେ। ତେବେ ବିଦ୍ୟୁତ କର୍ମଚାରୀଙ୍କ ଦୀର୍ଘ ୮ ଘଣ୍ଟାର ନିରନ୍ତର ପରିଶ୍ରମ ପରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.