ଅମଙ୍ଗଳ ହେଲା ମଙ୍ଗଳବାର! ଗୋଟିଏ ଝଟକାରେ ୪୧ ବିଲିୟନ ଡଲାର ହରାଇଲେ ବିଶ୍ୱର ଶ୍ରେଷ୍ଠ ୮ ଧନିକ, ଜାଣନ୍ତୁ ଆଦାନୀ ଓ ଅମ୍ବାନୀଙ୍କ ସ୍ଥିତି
14/09/2022 at 5:30 PM

ନୂଆଦିଲ୍ଲୀ ୧୪।୯: ଆମେରିକା ସେୟାର ବଜାରରେ ମଙ୍ଗଳବାର ଆସିଥିବା ସୁନାମୀ ବିଶ୍ୱର ଶୀର୍ଷ ୧୦ ବିଲିୟୋନେରଙ୍କ ମଧ୍ୟରୁ ୮ ଜଣଙ୍କର ୪୧ ବିଲିୟନ ଡଲାରରୁ ଅଧିକ ଭସେଇ ନେଇଛି। ଏଥିରେ ସବୁଠୁ ଅଧିକ ଆମାଜନର ପୂର୍ବତନ ସିଇଓ ଜେଫ୍ ବୋଜୋସ୍ଙ୍କ ୯.୮୪ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ଟେସଲା ସିଇଓ ଏଲନ ମସ୍କଙ୍କ ୮.୩୫ ବିଲିୟନ ଡଲାର ଓ ବିଲଗେଟସ୍ ଙ୍କୁ ୨.୮୪ ବିଲିୟନ ଡଲାରର ଲୋକସାନ ହୋଇଛି।
ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଟପ-୧୦ ଲିଷ୍ଟରେ ସାମିଲ ଉଦ୍ୟୋଗପତିଙ୍କ ସମ୍ପତ୍ତିରେ ମଙ୍ଗଳବାର ଯଦି କାହାର ସମ୍ପତ୍ତି ବୃଦ୍ଧି ହୋଇଥାଏ ତେବେ ଏଥିରେ ଭାରତର ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କର ହିଁ ହୋଇଛି। ଏଥିରେ ଆଦାନୀଙ୍କ ସମ୍ପତ୍ତିରେ ୧.୫୮ ବିଲିୟନ ଡଲାରର ଅଭିବୃଦ୍ଧି ହୋଇଥିବା ବେଳେ ଅମ୍ବାନୀଙ୍କ ସମ୍ପତ୍ତିରେ ୧.୨୩ ବିଲିୟନ ଡଲାରର ବୃଦ୍ଧି ହୋଇଛି। ଫଳରେ ଧନୀକଙ୍କ ସୂଚୀର ତୃତୀୟ ସ୍ଥାନକୁ ଆଦାନୀ ପହଞ୍ଚିଥିବା ବେଳେ ଅମ୍ବାନୀ ନବମ ସ୍ଥାନକୁ ଉଠିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ସେୟାର ବଜାର ଡାଉଜୋନ୍ସ ସୂଚକାଙ୍କ ମଙ୍ଗଳବାର ୧୨୭୬ ପଏଣ୍ଟରୁ ଅଧିକ ହ୍ରାସ ହୋଇ ୩୧୧୦୪ରେ ବନ୍ଦ ହୋଇଥିଲା। ଫଳରେ ଟେସ୍ଲା ଓ ଏପଲ ଭଳି ଷ୍ଟକ୍ସର ମୂଲ୍ୟ ତାସ ମିନାର ପରି ଖସିଯାଇଥିଲା। କେବଳ ଡାଉଜୋନ୍ସ ନୁହେଁ ଏସଏଣ୍ଡପି ୫୦୦୪.୩୨ ପ୍ରତିଶତ ଅର୍ଥାତ ୧୭୭ ପଏଣ୍ଟ ତଳକୁ ଖସିଥିଲା। ସେହିପରି ନାସଡାକ୍ କମ୍ପୋଜିଟ୍ ମଧ୍ୟ ୫ ପ୍ରତିଶତରୁ ମଧ୍ୟ ଅଧିକ ହ୍ରାସ ହୋଇଥିଲା। ଫଳରେ ଟେସ୍ଲାର ୪.୦୪ ପ୍ରତିଶତ କ୍ଷତି ହୋଇଥିବା ବେଳେ ମାଇକ୍ରୋସଫ୍ଟକୁ ୫.୫୦, ଗୁଗଲକୁ ୫.୯୦ ଓ ଆମାଜନ ଭଳି ଷ୍ଟକ ୭ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲା। ଯାହାର ସିଧା ପ୍ରଭାବ ବିଶ୍ୱର ଦିଗ୍ଗଜ କମ୍ପାନୀମାନଙ୍କ ସିଇଓଙ୍କ ସମ୍ପତ୍ତି ଉପରେ ପଡିଥିଲା।