ରାଜସ୍ଥାନରେ ବିଜେପିର ୫ ବିଦ୍ରୋହୀଙ୍କ ସମେତ ୮ ସ୍ୱାଧୀନ ପ୍ରାର୍ଥୀ ବିଜୟୀ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ:  ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ପାଞ୍ଚ ବିଦ୍ରୋହୀଙ୍କ ସହ ମୋଟ ଆଠ ନିର୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଚିତ୍ତୋରଗଡ଼ ଆସନରୁ ବିଜେପିର ବିଦ୍ରୋହୀ ଚନ୍ଦ୍ରଭାନ ଆକ୍ୟା ନିର୍ଦଳୀୟ ଲଢି ବିଜୟୀ ହୋଇଛନ୍ତି । ଏହି ଆସନରୁ ଆକ୍ୟାଙ୍କୁ ଟିକଟ ନଦେଇ ପୂର୍ବତନ ଉପରାଷ୍ଟ୍ରପତି ଭେରୋଁ ସିଂ ଶେଖାୱତଙ୍କ ଜ୍ୱାଇଁ ନରପତ ସିଂ ରାଜଭୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜୀବ ତୃତୀୟ ସ୍ଥାନରେ ରହିଛନ୍ତି । ପାଞ୍ଚ ଥର ବିଧାୟକ ଥିବା ରାଜୀବଙ୍କୁ ତାଙ୍କ ପରମ୍ପାରିକ ଆସନ ବିଦ୍ୟାଧର ନଗର ଆସନ ପରିବର୍ତ୍ତେ ଚିତ୍ତୋରଗଡ଼ରୁ ବିଜେପି ଟିକଟ ଦେଇଥିଲେ । ବିଦ୍ୟାଧର ନଗର ଆସନରୁ ସାଂସଦ ଦୀପା କୁମାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା ।

ପଢନ୍ତୁ: ରାଜସ୍ଥାନ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦ ହରାଇଲେ କିନ୍ତୁ ନିର୍ବାଚନ ଜିତିଲେ, ଅଶୋକ ଗେହଲୋଟଙ୍କ ଷଷ୍ଠ ବିଜୟ

ବିଜେପିର ଅନ୍ୟ ଜଣେ ବିଦ୍ରୋହୀ ରବିନ୍ଦ୍ର ସିଂ ଭାଟି ବି ଶିବ ବିଧାନସଭା ଆସନରେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଓ ନିର୍ଦଳୀୟ ପ୍ରାର୍ଥୀ ଫତେହ ଖାନଙ୍କୁ ୩୯୫୦ ଭୋଟ ବ୍ୟାବଧାନରେ ପାରସ୍ତ କରିଛନ୍ତି । ଏହି ଆସନରେ ବର୍ତ୍ତମାନର ବିଧାୟକ ଅମୀନ ଖାନ ତୃତୀୟ ଓ ବିଜେପି ପ୍ରାର୍ଥୀ ସ୍ୱରୁପ ସିଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଡିଡୱାନା ଆସନରେ ପୂର୍ବତନ ମନ୍ତ୍ରୀ ୟୁନୁସ ଖାନ ୯୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୟୁନୁସ ଖାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଘନିଷ୍ଠ ବୋଲି କୁହାଯାଉଥିଲା ।

ବିଜେପିର ଅନ୍ୟ ଜଣେ ବିଦ୍ରୋହୀ ରିତୁ ବନାୱତ ବୟାନା ଆସନରୁ ୪୦ ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଅମର ସିଂହ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ବଚ୍ଚୁ ସିଂ ତୃତୀୟ ସ୍ଥାନରେ ରହିଛନ୍ତି । ସାଂଚୋର ଆସନରେ ସ୍ୱାଧୀନ ପ୍ରାର୍ଥୀ ଜୀଭାରାମ ଚୌଧୁରୀ ବିଜୟୀ ହୋଇଛନ୍ତି । ବିଜେପି ତାଙ୍କୁ ଟିକଟ ନଦେଇ ସାଂସଦ ଦେବଜୀ ପଟେଲଙ୍କୁ ମୈଦାନରେ ଓହ୍ଲାଇଥିଲା ।

Also Read: ତିନି ରାଜ୍ୟରେ ବିଜୟ ୨୦୨୪ରେ ବି ହ୍ୟାଟ୍ରିକ୍‌ର ଗ୍ୟାରେଣ୍ଟି…ପିଏମ୍ ମୋଦୀଙ୍କ ବଡ଼ ସନ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.