୮କଂଗେସ ବିଧାୟକ କରିବେ ବିଜେପିକୁ ସମର୍ଥନ
18/05/2018 at 7:56 AM

ସୁପ୍ରିମ କୋର୍ଟଙ୍କ ଐତିହାସିକ ନିର୍ଦେଶ କ୍ରମରେ ଆସନ୍ତାକାଲି ଅପରାହ୍ନ ୪ଟା ବେଳେ କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳର ନେତା ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ | କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି | ତେବେ ସରକାର ଗଠନ ପାଇଁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ | ଯାହା ବିଜେପି ପାଖରେରେ ନାହିଁ | ତଥାପି ୟେଦୁରପ୍ପାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଆସ୍ଥା ଭୋଟ ଲାଗି ୧୫ ଦିନ ସମୟ ଦେଇଥିଲେ | ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଆସନ୍ତାକାଲି ଆସ୍ଥା ଭୋଟ ହେଲେ ମଧ୍ୟ ବିଜେପି ହିଁ ବିଜୟୀ ହେବ ବୋଲି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି | ବିଜେପି ସୂତ୍ରରୁ ଜଣା ପଡିଛି ଯେ, ୮ଜଣ କଂଗ୍ରେସ ବିଧାୟକ ଏବଂ ୨ ଜଣ ଯେଡ଼ିଏସ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେବେ | ତେବେ ଏହି ବିଧାୟକମାନଙ୍କ ନାଁ ଦଳ ପକ୍ଷରୁ ପ୍ରକାଶ କରାଯାଇ ନାହିଁ |
ଅପର ପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଏବେ ବି ଯେଡ଼ିଏସ ଓ କଂଗ୍ରେସର ୧୧୬ ବିଧାୟକ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମେଣ୍ଟ ସପକ୍ଷରେ ରହିଛି | ତେଣୁ ୮ ଜଣ କଂଗ୍ରେସ ବିଧାୟକ ଓ ୨ ଜଣ ଯେଡ଼ିସେ ବିଧାୟକଙ୍କ ଭୋଟ ହାତେଇବା ପାଇଁ ମନସ୍ଥ କରିବା ବିଜେପି କେବଳ ଦିବା ସ୍ବପ୍ନ ଦେଖୁଛି | ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ସେ ଏହି ନିର୍ଦେଶକୁ ସ୍ୱାଗତ କରିବା ସହ କର୍ଣ୍ଣାଟକ ରାଜ୍ୟପାଳଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରି କହିଛନ୍ତି, କର୍ଣ୍ଣାଟକ ରାଜ୍ୟପାଳ ଅଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି |