ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ସପ୍ତମ ଶ୍ରେଣୀର ଛାତ୍ର ଶୁଭମ, ସଭିଙ୍କ ପାଇଁ ସାଜିଲେ ଉଦାହରଣ
15/09/2022 at 10:18 PM

ନିମାପଡା: ସାନ ସିନା ଦାନ ତା ମହାନ। ଏହି ଉକ୍ତିକୁ ପ୍ରତିପାଦନ କରିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ର। ଯିଏ ଛୋଟ ବେଳୁ ବଡ ବଡ ସ୍ଵପ୍ନ ଦେଖିଥିଲା ଆଜି ତାର ଆଖିରେ ଅନ୍ୟ ବ୍ୟକ୍ତି ଦୁନିଆ ଦେଖିବ। ମୃତ୍ୟୁ ପରେ ଚକ୍ଷୁ ଦାନ କରିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର ଶୁଭମ। ତାଙ୍କର ଏହି ମହତ୍ କାର୍ଯ୍ୟ ସଭିଙ୍କ ପାଇଁ ଉଦାହରଣ ପାଲଟିଛି। ମୃତ୍ୟୁ ପରେ ଭୁବନେଶ୍ଵର ସ୍ଥିତ ଏଲଭି ପ୍ରସାଦ ଇନଷ୍ଟଚ୍ୟୁଟର ଚକ୍ଷୁ ଦାନ ଆଇ ବ୍ୟାଙ୍କକୁ ଦୁଇଟି ଯାକ ଆଖି ଦାନ କରାଯାଇଛି ।
ପିପିଲି ବ୍ଳକ ଦାଣ୍ଡମୁକୁନ୍ଦପୁର ପଂଚାୟତର ବିଲ ମଳିକ ସାହିରେ ରୁହନ୍ତି ଜମ୍ବେଶ୍ୱର ମଳିକ । ପରିବାର କହିଲେ ସ୍ତ୍ରୀ ବର୍ଷା ଙ୍କ ସହିତ ପୁଅ ଶୁଭମ ମଳିକ ଏବଂ ଝିଅ ସୁଭଦ୍ରା । ଶୁଭମ କୁ ୧୨ ବର୍ଷ ବୟସ । ସେ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସ୍କୁଲରେ ଜଣେ ମେଧାବୀ ଛାତ୍ର ଭାବରେ ସମସ୍ତଙ୍କ ପ୍ରିୟ ଥିଲେ । ତେବେ ପ୍ରତିଦିନ ପରି ଗତକାଲି ମଧ୍ୟ ସେ ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ । ସ୍କୁଲରୁ ଆସି ଘରେ ସ୍କୁଲର ବାକି ପାଠକୁ ଲେଖା ଲେଖି କରି ସାରିବା ପରେ ମାଙ୍କ ପାଖରେ ଶୋଇଥିଲେ । ହଠାତ୍ ରାତି ଗୋଟାଏ ବେଳକୁ ମୁଣ୍ଡ ବୁଲାଇ ହେବା ସହିତ ପେଟ କାଟୁଥିବାର ମାଙ୍କୁ କହିଥିଲେ ।
ପରିବାର ଲୋକେ ତାଙ୍କୁ ପ୍ରଥମେ ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା କରଯାଇଥିଲା ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପହଂଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମ୍ ସିନା ଚାଲିଗଲେ ତେବେ ମୃତ୍ୟୁ ପୂର୍ବରୁ ମାଙ୍କୁ କହିଯାଇଥିଲେ ଯଦି ମୋର କେତେବେଳେ ମୃତ୍ୟୁ ଘଟେ ତେବେ ମୋ ଆଖିକୁ ଦାନ ଦେଇ ଦେବେ। ପୁଅର ଇଚ୍ଛାକୁ ପରିବାର ଲୋକେ ପୂରଣ କରିଥିଲେ । ଏଲଭି ପ୍ରସାଦ ଇନଷ୍ଟଚ୍ୟୁଟର ଦୃଷ୍ଟି ଦାନ୍ ଆଇ ବ୍ୟାଙ୍କକୁ ଦୁଇଟି ଯାକ ଆଖି ଦାନ କରାଯାଇଛି ।