ନୂଆଦିଲ୍ଲୀ : ବାଂଲାଦେଶରେ ଦେଶବ୍ୟାପୀ କର୍ଫ୍ୟୁ ଓ ଭୟଙ୍କର ହିଂସା ମଧ୍ୟରେ ୭୭୮ ଭାରତୀୟ ଛାତ୍ର ସ୍ୱଦେଶ ଫେରି ଆସିଛନ୍ତି। ବୈଦେଶିକ ମନ୍ତ୍ରାଳୟ ଶନିବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରାଳୟଙ୍କ ଅନୁସାରେ ଏବେବି ଶହଶହ ଛାତ୍ର ଭାରତ ଫେରିବା ପାଇଁ ଦୂତାବାସଙ୍କ ସମ୍ପର୍କରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶ ହିଂସାରେ ଏପର୍ଯ୍ୟନ୍ତ ୧୦୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଓ ଢାକାସ୍ଥିତ ଦୂତାବାସ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିବା ଓ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁରାଘଟଣାକ୍ରମ ଉପରେ ୨୪ ଘଣ୍ଟା ନଜର ରଖି ରହିଛି ଓ ଛାତ୍ରଙ୍କୁ ସହାୟତା ପ୍ରଦାନ କରୁଛି। ଏହି କ୍ରମରେ ଏପର୍ଯ୍ୟନ୍ତ ୭୭୮ ଜଣ ଭାରତୀୟ ଛାତ୍ର ଭୂମି, ବନ୍ଦର ଓ ଆକାଶ ମାର୍ଗରେ ଭାରତ ପହଞ୍ଚି ସାରିଛନ୍ତି। ଏଥିରୁ ୨୦୦ ଛାତ୍ର ଚଟଗାଓଁ ବିମାନ ବନ୍ଦରରୁ ନିୟମିତ ଉଡାଣ ଯୋଗେ ନିଜନିଜ ଘରକୁ ଫେରିଛନ୍ତି।
The High Commission of India in Dhaka and the Assistant High Commissions in Chittagong, Rajshahi, Sylhet and Khulna have been assisting the return of Indian nationals home following the recent developments in Bangladesh. In coordination with the local authorities, measures are… pic.twitter.com/LvYSQUi2K2
— ANI (@ANI) July 20, 2024
ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୪୦୦୦ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଢାକାସ୍ଥିତ ଭାରତୀୟ ଉଚ୍ଚାୟୋଗ ସେମାନଙ୍କ ସହ ନିୟମିତ ସମ୍ପର୍କରେ ଅଛନ୍ତି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ବେଳେ ସେମାନଙ୍କୁ ସବୁ ପ୍ରକାର ଆବଶ୍ୟକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ବାଂଲାଦେଶ ହିଂସା ଯୋଗୁ ନେପାଲ ଓ ଭୁଟ୍ଟାନର ଛାତ୍ରଙ୍କୁ ମଧ୍ୟ ଭାରତ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି।
ଉଭୟ ଦେଶର ସରକାରଙ୍କ ଅନୁରୋଧ ପରେ ଦୁଇ ଦେଶର ଛାତ୍ରଙ୍କୁ ବାଂଲାଦେଶରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି। ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ଏହି ଦୁଇ ଦେଶର ଛାତ୍ରଙ୍କୁ ଭାରତ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଇଛି। ଏହା ସହିତ ହିଂସାଗ୍ରସ୍ତ ଦେଶରୁ ବାହାରିବା ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରାଯାଉଛି।