ବଣିକଙ୍କୁ ଆକୃଷ୍ଟ କରିଥିଲା ଭୁବନେଶ୍ୱର, ଦୟା କୂଆଖାଇରେ ଲାଗୁଥିଲା ଜାହାଜ

Published By : Prameya-News7 Bureau | April 13, 2024 IST

ଭୁବନେଶ୍ୱର ୧୩/୦୪: ୧୯୪୮ ମସିହା ଏପ୍ରିଲ୍‌ ୧୩ ତାରିଖରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ସେହି ହିସାବରେ ଶନିବାର ରାଜଧାନୀ ୭୭ ବର୍ଷରେ ପାଦ ଥାପୁଛି । ଅନେକ ବାଧାବିଘ୍ନ ଅତିକ୍ରମ କରି ରାଜଧାନୀ ସମୃଦ୍ଧ ହେଉଛି, ପାଲଟିଛି ସ୍ୱପ୍ନର ସହର । ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ୱର ଆଜି ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରିଛି । 

ବଣ, ପାହାଡ଼ ଘେରା ଏହି ସ୍ଥାନରେ ଏବେ ବଡ଼ ବଡ଼ ଅଟ୍ଟାଳିକା ଶୋଭାପାଉଛି । ଶଗଡ଼ ଗୁଳାର ରାସ୍ତା ଆଜି ଚକାଚକ୍‌ ହୋଇଛି । ମୋଟାମୋଟି ଭାବେ ସହର ଆଜି ସ୍ମାର୍ଟସିଟିରେ ପରିଣତ ହୋଇଛି । ସହର ମଝିରେ ଗଢ଼ି ଉଠିଛି ବଡ଼ ବଡ଼ ଓଭରବ୍ରିଜ୍‌ । କେବଳ ଧଉଳି, ଖଣ୍ଡଗିରି, ଉଦୟଗିରିର ଐତିହ୍ୟକୁ ନେଇ ସହରର ପରିଚୟ ସୀମିତ ହୋଇରହି ନାହିଁ ବରଂ ବିଶ୍ୱ ଦରବାରରେ କ୍ରୀଡ଼ା, ଶିକ୍ଷା, ବୈଷୟିକ କ୍ଷେତ୍ରରେ ସୁନାମ ଆଣିପାରିଛି । 

ହକି ବିଶ୍ୱକପ୍‌ ଆୟୋଜନ ଠାରୁ ଏସିଆନ୍‌ ଆଥ୍‌ଲେଟିକ ଗେମ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ପାଲଟିଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓୟୁଟିଆର୍‌, ଓୟୁଏଟି, ବିଶ୍ୱ ଦକ୍ଷତା କେନ୍ଦ୍ର, ଆଇଆଇଏମ୍‌ଟି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଆଇଆଇଆଇଟି, ଏମ୍‌ସ, ଆଇଆଇଟି, ସୋଆ, ଆଇଟିଇଆର୍‌ ଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଆଜି ରାଜଧାନୀ ଶିକ୍ଷାର ହବ୍‌ ପାଲଟିଛି । 

ଏଥିପାଇଁ ବିଦେଶୀ ଏବେ ଭୁବନେଶ୍ୱର ମୁହାଁ ହୋଇଛନ୍ତି । ସହର ଏବେ ଆଇଟି କ୍ଷେତ୍ରରେ ଦ୍ରୁତଗତିରେ ଆଗଉଛି । ଆଗାମୀ ଦିନରେ ବେଙ୍ଗାଲୁରୁ ପରେ ଭୁବନେଶ୍ୱର ଏକ ନମ୍ବର ଆଇଟି ହବ୍‌ରେ ପରିଣତ ହେବାର ଆଶା ରଖିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦେଖିଲେ ସହରରେ ରହିଛି ଉନ୍ନତମାନର ଚିକିତ୍ସାଳୟ । ଆଜି ବି ବାହାର ରାଜ୍ୟର ଲୋକେ ଭୁବନେଶ୍ୱରସ୍ଥିତ ଏମ୍‌ସ ଉପରେ ନିର୍ଭରଶୀଳ । 

ସମ୍‌ ପରି ଘରୋଇ ଡାକ୍ତରଖାନାର ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରର ଲୋକେ ଏଠାକୁ ଧାଇଁ ଆସୁଛନ୍ତି । ଗମନାଗମନ କ୍ଷେତ୍ର ମଧ୍ୟ ସୁଦୃଢ଼ ହୋଇଛି । ମୋ ବସ୍‌ ସେବା, କମନ୍‌ କାର୍ଡ ବ୍ୟବସ୍ଥା, ମଲ୍ଟି ଲେଭଲ୍‌ ପାର୍କିଂ, ସ୍ମାର୍ଟ ଟ୍ରାଫିକ୍‌, ଦିବ୍ୟାଙ୍ଗଙ୍କ ପାଇଁ ସେନ୍‌ସୋରୀ ପାର୍କ କରାଯାଇଥିବା ବେଳେ ମେଟ୍ରୋ ପ୍ରକଳ୍ପ ପରି ଯୋଜନା ହାତକୁ ନିଆଯାଇଛି । 

ରାଜଧାନୀର ବିକାଶକୁ ଆଗେଇନେବା ପାଇଁ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଉଦ୍ୟମରତ ଅଛନ୍ତି । ଅନ୍ୟପକ୍ଷରେ ଏହି ସବୁ ଉନ୍ନତି ଭିତରେ ବର୍ଷା ବେଳେ କୃତ୍ରିମ ବନ୍ୟା, ପରିମଳ ବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ଡାଇଛି ଭୁବନେଶ୍ୱର । ପୁଣି କେତେବେଳେ ଡମ୍ପିଂୟାର୍ଡକୁ ନେଇ ବିବାଦ ମୁଣ୍ଡ ଟେକୁଛି ତ ଆଉ କେତେବେଳେ ସଫେଇ କର୍ମଚାରୀଙ୍କ ବିବାଦ ପାଇଁ ଅଳିଆ ଉଠୁନି । ପ୍ରାକୃତିକ ନାଳ ସତ୍ତା ହରାଇଲାଣି । ଏହାର ପୁନରୁଦ୍ଧାର ପାଇଁ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.