74th Independence Day 2020: ୧୯୪୭ ପରଠୁ ଏ ପର୍ଯ୍ୟନ୍ତ… ବିକାଶର ମାପଦଣ୍ଡରେ କେଉଁଠି ଛିଡା ହୋଇଛି ଭାରତ, ପାକିସ୍ତାନ ଓ ବାଂଲାଦେଶ
15/08/2020 at 7:29 PM

ନୂଆଦିଲ୍ଲୀ ୧୫।୦୮: ଭାରତ ଆଜି ନିଜର ୭୪ତମ ସ୍ଵାଧୀନତା ଦିବସ ପାଳନ କରୁଛି। ଭାରତ ସହିତ ୧୯୪୭ରେ ଧର୍ମ ନାମରେ ଭାରତରୁ ଆଉ ଏକ ଦେଶ ଜନ୍ମ ହୋଇଥିଲା, ତାହା ହେଉଛି ପାକିସ୍ତାନ। ଭାରତ ଓ ପାକିସ୍ତାନ ଏକ ସଙ୍ଗେ ସ୍ଵାଧୀନ ପାଇଲେ। କିନ୍ତୁ ବିକାଶ ମାମଲାରେ ଭାରତ ପାକିସ୍ତାନଠୁ କେଇ ଗୁଣା ଆଗରେ ରହିଛି। ମାତ୍ର ଆଜି ଆମେ ଏଥିରେ ଆଉ ଏକ ଦେଶକୁ ଯୋଡିବା।
ଭାରତ ଓ ପାକିସ୍ତାନ ସହିତ ଆମେ ଆଉ ଏକ ଦେଶ ବିଷୟରେ ଆଲୋଚନା କରିବା ଯିଏ ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ପରେ ନୂତନ ଦେଶ ଭାବେ ଜନ୍ମ ନେଇଥିଲା। ଭାରତ ପାକିସ୍ତାନକୁ ଯୁଦ୍ଧରେ ପରାସ୍ତ କରି ବାଂଲାଦେଶକୁ ସ୍ଵତନ୍ତ୍ର ଦେଶ କରିଥିଲା। ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ। ଏବେ ଆମେ ଦେଖିବା ଏହି ତିନୋଟି ଦେଶ ସ୍ଵାଧୀନତା ପରଠୁ କେତେ ବିକାଶ କରିଛନ୍ତି।
ସାକ୍ଷରତା
ସାକ୍ଷରତା ହାର ମାମଲାରେ ଭାରତ ଏକ ନମ୍ବରରେ ରହିଛି। ବାଂଲାଦେଶର ସାକ୍ଷରତା ହାର ୭୩.୯ ପ୍ରତିଶତ ଥିବା ବେଳେ ବାଂଲାଦେଶର ରହିଛି ୭୪.୪ ପ୍ରତିଶତ ଏବଂ ପାକିସ୍ତାନର ୫୯.୧୩ ପ୍ରତିଶତ।
ପ୍ରାଥମିକ ଶିକ୍ଷା
ପ୍ରାଥମିକ ଶିକ୍ଷା ମାମଲାରେ ବାଂଲାଦେଶ ଭାରତକୁ ପଛରେ ପକାଇଛି। ଭାରତରେ ଏନରୋଲମେଣ୍ଟର ହାର ୧୧୨.୯ ପ୍ରତିଶତ ରହିଛି ମାତ୍ର ବାଂଲାଦେଶରେ ଏହି ହାର ୧୧୬.୫ ପ୍ରତିଶତ ରହିଛି। ପାକିସ୍ତାନରେ ଏହି ହାର ୯୪.୩ ପ୍ରତିଶତ ରହିଛି।
ଶିଶୁ ରକ୍ଷାର ଅନୁପାତ
୫ ବର୍ଷରୁ ୧୪ ବର୍ଷର ଶିଶୁଙ୍କ ଜୀବନ ରକ୍ଷା ମାମଲାରେ ୨୦୧୭ର ତଥ୍ୟ ଅନୁଯାୟୀ ମଧ୍ୟ ବାଂଲାଦେଶ ନମ୍ବର ଓ୍ଵାନ ରହିଛି। ବାଂଲାଦେଶରେ ଏକ ହଜାର ଶିଶୁଙ୍କ ମଧ୍ୟରେ ୪.୧ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ଘଟୁଛି। ଭାରତରେ ଏହି ହାର ୫.୭ ଏବଂ ପାକିସ୍ତାନରେ ୯.୭ ରହିଛି।
ଶିଶୁ ମୃତ୍ୟୁହାର
ଏହି ମାମଲାରେ ବାଂଲାଦେଶର ଅବସ୍ଥା ଉନ୍ନତ ରହିଛି। ଜନ୍ମିତ ପ୍ରତି ହଜାରେ ଶିଶୁରେ ବାଂଲାଦେଶରେ ୧୫.୧ ଶିଶୁଙ୍କ ମୃତ୍ୟୁ ଘଟୁଛି। ଭାରତରେ ୨୯.୯ ଏବଂ ପାକିସ୍ତାନରେ ୫୭.୨ ଶିଶୁଙ୍କ ମୃତ୍ୟୁ ଘଟୁଛି।
କେଉଁ ଦେଶରେ କେତେ ଗରିବି
ଦାରିଦ୍ର୍ୟ ସୀମା ରେଖା ତଳେ ଜୀବନ ଯାପନ କରୁଥିବା ଜନସଂଖ୍ୟା ବାଂଲାଦେଶରେ ୨୪.୩ ପ୍ରତିଶତ ରହିଛି। ଭାରତରେ ଏହା ୨୧.୯ ପ୍ରତିଶତ ଏବଂ ପାକିସ୍ତାନରେ ୨୪.୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଛନ୍ତି। ଅର୍ଥାତ ସବୁଠୁ କମ ଗରିବ ଭାରତରେ ଅଛନ୍ତି।
କାରବାର ମାମଲାରେ ଭାରତ ପ୍ରଥମ ପସନ୍ଦ
ଇଜି ଅଫ ଡୁଇଙ୍ଗ ବିଜନେସ୍ ମାମଲାରେ ଭାରତ ବହୁତ ଆଗରେ ରହିଛି। ଏହି କ୍ଷେତ୍ରରେ ୦କୁ ସବୁଠୁ ଖରାପ ପ୍ରଦର୍ଶନ ଏବଂ ୧୦୦କୁ ସବୁଠୁ ଉନ୍ନତମାନର ପ୍ରଦର୍ଶନ କୁହାଯାଏ। ଏହି କ୍ଷେତ୍ରରେ ବାଂଲାଦେଶକୁ ୪୫.୧ ପ୍ରତିଶତ, ଭାରତକୁ ୭୧.୧ ଓ ପାକିସ୍ତାନକୁ ୬୧.୦ ନମ୍ବର ମିଳିଛି। ଏଥିରୁ ସ୍ପଷ୍ଟ ଯେ ବାଂଲାଦେଶରେ କାରବାର ପାଇଁ ମାହୋଲ ଅନୁକୂଳ ନାହିଁ।
ଗ୍ରୋସ୍ ସେଭିଂରେ ବାଂଲାଦେଶ ନମ୍ବର ୧
ଯଦି ଗ୍ରୋସ୍ ସେଭିଂ ଉପରେ ଆଲୋଚନା କରାଯାଏ ତେବେ ବାଂଲାଦେଶର ଗ୍ରୋସ୍ ସେଭିଂ ୩୩.୩ ପ୍ରତିଶତ(୩୩.୩ ପ୍ରତିଶତ) ରହିଛି। ଏହି ପରି ଭାରତର ୩୧.୧ ପ୍ରତିଶତ ଓ ପାକିସ୍ତାନର ୧୯.୩ ପ୍ରତିଶତ ରହିଛି।
ମୋଟ୍ ଜିଡିପି
ମୋଟ୍ ଜିଡିପିର ମାମଲାରେ ମଧ୍ୟ ଭାରତ ଦୁଇ ଦେଶ ଉପରେ ରହିଛି। ଭାରତର ମୋଟ୍ ଜିଡିପି ବାଂଲାଦେଶ ଓ ପାକିସ୍ତାନର ୬ ଗୁଣା ଅଧିକ ରହିଛି।
ଜିଡିପି
କୌଣସି ଦେଶର ମେରୁଦଣ୍ଡ ସେଠାକାର ଅର୍ଥବ୍ୟବସ୍ଥା ହୋଇଥାଏ। ସକଳ ଘରୋଇ ଉତ୍ପାଦ(ଜିଡିପି) କୌଣସି ବି ଦେଶର ଆର୍ଥିକ ସ୍ଥିତିକୁ ମାପିବାର ଏକ ପରିମାପକ। ଉଲ୍ଲେଖଯୋଗ୍ୟ, ଭାରତର ଜିଡିପିର ଗଣନା ପ୍ରତ୍ୟେକ ତିନି ମାସରେ କରାଯାଏ। ଭାରତ, ପାକିସ୍ତାନ ଓ ବାଂଲାଦେଶ ତିନି ଦେଶ ତୂଳନାରେ ସବୁଠୁ ଅଧିକ ଜିଡିପି ଭାରତର। ଭାରତର ମୁଣ୍ଡ ପିଛା ଜିଡିପି ୨୧୬୯.୧(ୟୁଏସ ଡଲାର), ବାଂଲାଦେଶର ୧୨୮୭.୮(ୟୁଏସ ଡଲାର) ଓ ପାକିସ୍ତାନର ୧୧୮୫.୫(ୟୁଏସ ଡଲାର)। ଅର୍ଥାତ ସବୁଠୁ କମ ଜିଡିପି ପାକିସ୍ତାନର।