ଆମେରିକା ନିର୍ବାଚନ : ଜୋ ବିଡେନଙ୍କୁ ମିଳିବ ୭୨ ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ, ଟ୍ରମ୍ପ୍‌ଙ୍କୁ ୨୨ପ୍ରତିଶତ କରନ୍ତି ସମର୍ଥନ

Published By : Prameya-News7 Bureau | October 15, 2020 IST

ଓ୍ବାଶିଂଟନ୍ ୧୫।୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଜାରି ରହିଛି । ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହି ସମୟରେ ଏକ ସର୍ଭେରୁ ଜଣାପଡିଛି ଯେ, ଭାରତୀୟ ଆମେରିକୀୟ ଭୋଟରମାନଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିର ଆଶାୟୀ ଜୋ ବିଡେନଙ୍କ ପ୍ରତି ଅଧିକ ରହିଛି । ଇଣ୍ଡିଆନ୍ ଆମେରିକାନ୍ ଆଟିଚ୍ୟୁଡ ସର୍ଭେ (IAAS) ଅନୁଯାୟୀ ଆମେରିକାରେ ରହୁଥିବା ପ୍ରାୟ ୭୨ ପ୍ରତିଶତ ଭାରତୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ଭୋଟ୍ ଦେଇପାରନ୍ତି । ସେହିଭଳି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ର ୨୨ ପ୍ରତିଶତ ଭାରତୀୟ ଆମେରିକୀୟ ଭୋଟ୍ ଦେଇପାରନ୍ତି ।

ଏହି ସର୍ଭେ ୯୩୬ ଜଣ ଭାରତୀୟ ଆମେରିକୀୟଙ୍କ ସହ କଥାବାର୍ତ୍ତା ଆଧାରରେ କରାଯାଇଛି । ସେପ୍ଟେମ୍ବର ମାସ ଆରମ୍ଭରୁ ୨୦ ଦିନ ପର୍ଯ୍ୟନ୍ତ ଅନଲାଇନ୍ ରେ ଏହି ଲୋକମାନଙ୍କ ସହ କଥାବାର୍ତ୍ତା କରାଯାଇଥିଲା । ସର୍ଭେରୁ ଏହା ଜଣାପଡିଛି ଯେ, ଭାରତୀୟ ଆମେରିକୀୟ ସମୂହକୁ ଡେମୋକ୍ରାଟିକ୍ ପାର୍ଟିର ଆଧାର ଭୋଟ୍ ବ୍ୟାଙ୍କ୍ ବୋଲି ଧରାଯାଇଥାଏ । ୫୬ ପ୍ରତିଶତ ଲୋକ ସ୍ବୀକାର କରିଛନ୍ତି ଯେ, ସେମାନେ ଡେମୋକ୍ରାଟିକ୍ ପାର୍ଟିର ସମର୍ଥକ ଭାବେ ପରିଚିତ । ସେହିଭଳି ମାତ୍ର ୧୫ ପ୍ରତିଶତ କହିଥିଲେ ଯେ, ସେମାନେ ରିପବ୍ଲିକାନ୍ ପାର୍ଟିର ସମର୍ଥକ ଭାବେ ପରିଚିତ ।

ଏହି ସର୍ଭେରୁ ଆହିରି ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି । ଭାରତୀୟ ଆମେରିକୀୟମାନେ ନିର୍ବାଚନରେ ଭୋଟ୍ ଦେବାକୁ ଭାରତ-ଆମେରିକା ସଂପର୍କକୁ କୌଣସି ବଡ ଫ୍ୟାକ୍ଟର ବୋଲି ଚିନ୍ତା କରନ୍ତିନାହିଁ । କୁହାଯାଉଛି ଯେ, ଏଭଳି ଚିନ୍ତାଧାରା ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯାଇପାରେ । ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବନ୍ଧୁତ୍ବ ସଂପର୍କରେ କହିଥିଲେ । ଏହାସହ ଭାରତରୁ ମିଳିବାକୁ ଥିବା ଜବରଦସ୍ତ ସମର୍ଥନ ଆଡକୁ ମଧ୍ୟ ଇଙ୍ଗିତ କରିଥିଲେ ।

ସର୍ଭେ ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ କମଲା ହୈରିସ ଭାରତୀୟ ଆମେରିକୀୟଙ୍କ ସମର୍ଥନ ହାସଲ କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି । ଗତ ଅଗଷ୍ଟ ମାସରେ ତାଙ୍କ ମା’ ଶ୍ୟାମଳା ଗୋପାଳନଙ୍କ କଥା କହି ଚର୍ଚ୍ଚାରେ ରହିଥିଲେ । ସେ ଭାରତୀୟ ଖାଦ୍ୟ ଇଡଲି ଏବଂ ମସଲା ଦୋସା କଥା ମଧ୍ୟ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.