ଏବେ ଏସିଆ କପ୍ ୨୦୨୩ରୁ ଓହରିବ ପାକିସ୍ତାନ ! ଚେତାଇଲେ ପିସିବି ଅଧ୍ୟକ୍ଷ ରମିଜ୍ ରାଜା
2/12/2022 at 8:47 PM

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା ଶୁକ୍ରବାର ପୁଣି ଥରେ ଏସିଆ କପ୍ ୨୦୨୩କୁ ନେଇ ବଡ ବୟାନ ଦେଇଛନ୍ତି। ଯଦି ଏସିଆ କପ୍ ଆୟୋଜନର ଅଧିକାର ଫେରାଇ ନିଆଯାଏ ତେବେ ପାକିସ୍ତାନ ଏସିଆ କପ୍ ୨୦୨୩ରୁ ହଟିବା ନେଇ ବିଚାର କରିପାରେ। କାରଣ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାତ୍ରା କରିବାକୁ ପ୍ରସ୍ତୁତ ନୁହେଁ। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ସଂପାଦକ ଜୟ ଶାହ ଅକ୍ଟୋବରରେ କହିଥିଲେ ଯେ, ଭାରତ ଆସନ୍ତା ବର୍ଷ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ସ୍ଥାନରେ ଖେଳାଯିବ।
ରମିଜ ରାଜା ରାଓ୍ଵଲପିଣ୍ଡିରେ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ସମୟରେ ଇଏସପିଏନ କ୍ରିକଇନଫୋକୁ କହିଛନ୍ତି ଯେ, ଏମିତି ନାହିଁ ଯେ, ଆମ ପାଖରେ ଆୟୋଜନ ଅଧିକାର ନାହିଁ କି ଆମେ ଏହାର ଆୟୋଜନ ପାଇଁ ଅନୁରୋଧ କରୁଛୁ। ଆମେ ନିରପେକ୍ଷ ଭାବେ ଅଧିକାର ପାଉ। ଯଦି ଭାରତ ଆସିବାକୁ ଚାହୁଁନି ତେବେ ନଆସୁ। ଯଦି ଏସିଆ କପ୍ ଆୟୋଜନର ଅଧିକାର ପାକିସ୍ତାନ ହାତରୁ ଛଡାଇ ନିଆଯିବ ତେବେ ଟୁର୍ଣ୍ଣାମେଣ୍ଟରୁ ଓହରିବାରେ ପାକିସ୍ତାନ ପ୍ରଥମ ଦଳ ହେବ।
ଏହା ପୂର୍ବରୁ ନଭେମ୍ବରରେ ପିସିବି ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ଯଦି ଭାରତୀୟ ଦଳ ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବନି, ତେବେ ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟ ଭାରତରେ ହେବାକୁ ଥିବା ବିଶ୍ଵ କପ୍ରେ ଅଂଶଗ୍ରହଣ କରିବ ନାହିଁ। ଏହାକୁ ନେଇ ପିସିବି ଏବଂ ବିସିିସିଆଇ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।