କାନାଡାରୁ ନିର୍ବାସିତ ହେବେନାହିଁ ୭୦୦ ଭାରତୀୟ ଛାତ୍ର, ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ସରକାର

Published By : Prameya-News7 Bureau | June 10, 2023 IST

ନୂଆଦିଲ୍ଲୀ, ୧୦/୦୬: କାନାଡାରୁ ନିର୍ବାସନ ବିରୋଧରେ ପ୍ରଦର୍ଶନ କରୁଥିବା ଭାରତୀୟ ଛାତ୍ରଙ୍କୁ ଆଶ୍ବସ୍ତି। ନିର୍ବାସନ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି କାନାଡା ସରକାର। ପ୍ରକୃତରେ ଏହି ଛାତ୍ରମାନଙ୍କୁ ମିଥ୍ୟା କଲେଜ ଲେଟର ଯୋଗୁଁ କାନାଡାରେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏମିତିକି ଜ​‌ଣେ ଭାରତୀୟ ଛାତ୍ର ଲଭପ୍ରୀତ ସିଂହଙ୍କ ଉପରେ ମାମଲା ରୁଜୁ କରାଯାଇ ତାଙ୍କୁ ନିର୍ବାସିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଯାହାପରେ ବିରୋଧ ବଢ଼ିଥିଲା। ତେବେ ବର୍ତ୍ତମାନ ତାଙ୍କ ନିର୍ବାସନ ଉପରେ ରୋକ୍‌ ଲଗାଯାଇଛି।

ସୂଚନାଥାଉକି, କାନାଡା ପଢ଼ିବାକୁ ଯାଇଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ କାନାଡା ସୀମା ସୁରକ୍ଷା ଏଜେନ୍ସି (ସିବିଏସଏ)ରୁ ନିର୍ବାସନ ଆଦେଶ ପାଇଥିଲେ। ତେବେ ଏହି ଆଦେଶ ସେମାନେ ସେତେବେଳେ ପାଇଥିଲେ ଯେତେବେଳେ ଛାତ୍ରଛାତ୍ରୀମାନେ କାନାଡାର ସ୍ଥାୟୀ ରେସିଡେନ୍ସ (PR) ପାଇଁ ଆବେଦନ କରିଥିଲେ, ଆଉ ଏଥିପାଇଁ ସେମାନଙ୍କର ‘ଆଡମିଶନ ଅଫର ଲେଟର’ ଯାଞ୍ଚ କରାଯାଇଥିଲା। ଆଉ ଏହା ପରେ ସଂପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା। ଯାହାପରେ ଟୋରଣ୍ଟୋରେ ଛାତ୍ରମାନେ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ। ମିଥ୍ୟା ଡକ୍ୟୁମେଣ୍ଟ ଯୋଗୁଁ ପ୍ରାୟ ୭୦୦ ଛାତ୍ରଙ୍କ ଉପରେ ନିର୍ବାସନ ବିପଦ ଆଶଙ୍କା ବଢ଼ିଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ସହ ବିବାଦ ଦୂର କରାଇବ ଚୀନ ? ବେଜିଂ ଗସ୍ତରେ ଯିବେ ପାଲେଷ୍ଟାଇନ ରାଷ୍ଟ୍ରପତି

ଆମ ଆଦମୀ ପାର୍ଟୀ ସାଂସଦ ବିକ୍ରମଜିତ ସିଂହ ସାହନୀ ଶୁକ୍ରବାର କହିଛନ୍ତି ଯେ, ‘କାନାଡା ସରକାର ୭୦୦ ଭାରତୀୟ ଛାତ୍ରଙ୍କ ନିର୍ବାସନକୁ ବର୍ତ୍ତମାନ ପାଇଁ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସାହନୀ କହିଛନ୍ତି ତାଙ୍କ ଅନୁରୋଧ ଏବଂ ଭାରତୀୟ ହାଇ କମିଶନଙ୍କ ହସ୍ତକ୍ଷେପ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସାହନୀ କହିଛନ୍ତି ‘ଆମେ ସେମାନଙ୍କୁ ଚିଠି ଲେଖି ବୁଝାଇଥିଲୁ ଯେ, ‘‘ଏହି ଛାତ୍ରମାନେ କିଛି ଠକାମୀ କରିନାହାଁନ୍ତି। ଏମାନେ ଠକାମୀର ଶିକାର ହୋଇଛନ୍ତି। କାରଣ ଏମାନଙ୍କୁ କିଛି ଅନଧିକୃତ ଏଜେଣ୍ଟ ମିଥ୍ୟା କଲେଜ ଲେଟର ଏବଂ ରସିଦ୍‌ ଦେଇଛନ୍ତି। ବିନା ଯାଞ୍ଚରେ ଭିଜା ଆବେଦନ କରାଗଲା। ଯେତେବେଳେ ସେମାନେ ସେଠାରେ ପହଞ୍ଚିଲେ ସେତେବେଳେ ଇମିଗ୍ରେସନ ମଧ୍ୟ ଆସିବାକୁ ଦେଇଥି​‌ଲେ।’’

ଏହି ୭୦୦ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ଏହି ସମସ୍ତଙ୍କୁ ଜଳନ୍ଧରର ବ୍ରିଜେଶ ମିଶ୍ରା ଠକିଛନ୍ତି। ବଡ଼ କଥା ହେଉଛି ଯେ ଦୂତାବାସର ଅଧିକାରୀ ମଧ୍ୟ ନକଲି ଦସ୍ତାବିଜକୁ ଚିହ୍ନି ପାରିନଥିଲେ ଆଉ ୟୁନିର୍ଭସିଟି ପଠାଇଥିଲେ। ଆଉ ଏବେ ଯେତେବେଳେ ସେମାନେ ସଂସ୍ଥାନରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ସେମାନେ ପଞ୍ଜୀକୃତ ନୁହଁନ୍ତି। ଏହି ନିର୍ବାସନ ନୋଟିସ୍‌ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ମିଶ୍ରା ଦ୍ବାରା ପହଞ୍ଚିଥିବା ଛାତ୍ରଙ୍କୁ ଅଧିକାରୀଙ୍କ ତରଫରୁ ନୋଟିସ୍‌ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: କାନାଡାରୁ ୭୦୦ ଭାରତୀୟ ଛାତ୍ରଛାତ୍ରୀଙ୍କ ନିର୍ବାସନ ପ୍ରସ୍ତୁତି ! ପ୍ରଧାନମନ୍ତୀ ଟ୍ରୁଡୋ କହିଲେ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.