ଦୀର୍ଘ ୭ ମାସ ହେଲା ୧୪ଟି ଗାଁର ପ୍ରାୟ ୭୦୦ ହିତାଧିକାରୀଙ୍କୁ ମିଳି ନାହିଁ ଭତ୍ତା ଟଙ୍କା: ବହି ଧରି ଧାରଣାରେ ବସିଲେ ଗ୍ରାମବାସୀ
2/11/2020 at 8:55 PM

ମାଲକାନଗିରି୨/ ୧୧: ଗତ ୭ ମାସ ହେବ ମିଳି ନାହିଁ ବାର୍ଦ୍ଧକ୍ୟ ଭତ୍ତା। ସମୁଦ୍ର ପତନଠାରୁ ପାଞ୍ଚ ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିରେ ଭତ୍ତା ଟଙ୍କାରେ ହେର ଫେର ନେଇ ଆସିଛି ସଙ୍ଗୀନ ଅଭିଯୋଗ। କରୋନା କଟକଣା ଆରମ୍ଭ ପରେ କିଛି ସରକାରୀ କର୍ମଚାରୀ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ହେରଫେର କରିଥିବା ନେଇ ଗୁରୁତର ଅଭିଯୋଗ ଆସିଛି । ଏହି ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିର ହଣ୍ଟ୍ରାହାଲ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ। ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ସରଳତାର ସୁଯୋଗ ନେଇ ଭତ୍ତା ଟଙ୍କା ହେର ଫେର କରାଯାଇଛି। ବଣ୍ଡାଘାଟି ହଣ୍ଟ୍ରାହାଲ ପଞ୍ଚାୟତର ୧୪ଟି ଗାଁର ପ୍ରାୟ ୭୦୦ ହିତାଧିକାରୀଙ୍କୁ ସାତ ମାସର ଭତ୍ତା ଟଙ୍କା ମିଳି ନାହିଁ।
ଭତ୍ତା ହଡ଼ପ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରସାର ହେବା ପରେ ସେହି ସବୁ ଗାଁ ଗୁଡ଼ିକରେ ଗଣମାଧ୍ୟମ ପ୍ରତିନିଧି ପହଁଞ୍ଚିଥିଲେ। ଏହି ଖବର ଜାଣିବା ପରେ ତରବରିଆ ଭାବରେ ହଣ୍ଟ୍ରାହାଲ ପଞ୍ଚାୟତର ୩ଜଣ ବ୍ୟକ୍ତିଙ୍କୁ ବକେୟା ଭତ୍ତା ଅଧିକାରୀ ଟଙ୍କା ପ୍ରଦାନ କରାଛନ୍ତି । ଏହାପରେ ଖଇରପୁଟ ବିଡିଓ ଘଟଣା ସ୍ଥଳରେ ପହଁଞ୍ଚି ଏହି ଅଭିଯୋଗର ତଦନ୍ତ କରିବା ସହିତ ହିତାଧିକାରୀଙ୍କ ଖାତା ଯାଞ୍ଚ କରି ଘଟଣାକୁ ଏଡ଼ାଇ ଦେଇଛନ୍ତି।
ଏସବୁ ମଧ୍ୟରେ କରୋନା କାଳରେ ରାଜ୍ୟ ସରକାରଙ୍କ ତରଫରୁ ଆସୁଥିବା ଭତ୍ତା ଟଙ୍କା ସବୁ କୁଆଡ଼େ ଗଲା ବୋଲି ସ୍ଥାନୀୟ ବାସିନ୍ଦା ବିଡିଓଙ୍କୁ ପ୍ରଶ୍ନ କରିଥିଲେ। ଅପରପକ୍ଷେ ସ୍ଥାନୀୟ ଅଞ୍ଚଳର ପିଇଓ ଦୁଇ ଦିନ ମଧ୍ୟରେ ସବୁ ଭତ୍ତା ଟଙ୍କା ମିଳିବ ବୋଲି କହିଛନ୍ତି।