କାଟିବାକୁ ମିଳିଲେନି ଲୋକ, ୭୦ ହଜାର ଘୁଷୁରୀଙ୍କୁ ହତ୍ୟାକରି ପୋତିଦେଲେ ମାଲିକ
7/09/2021 at 10:11 PM

ଲଣ୍ଡନ, ୦୭/୦୯: କାଟିବା ପାଇଁ ଲୋକ ଅଭାବ ପଡ଼ୁଥିବାରୁ ହଜାର ହଜାର ଘୁଷୁରୀଙ୍କୁ ନେଇ ଚିନ୍ତାରେ ଏବେ ଫାର୍ମ ମାଲିକ । ଏଥି ପାଇଁ ପାଖାପାଖି ୭୦ ହଜାର ଘୁଷୁରୀଙ୍କୁ ହତ୍ୟା କରି ପୋତି ଦିଆଯାଇଛି । ଏପରି ଏକ ଘଟଣା ବ୍ରିଟେନ୍ରେ ଦେଖିବାକୁ ମିଳିଛି ।
ବ୍ରିଟେନ୍ରେ ଏବେ ମାଂସ କାଟିବାକୁ ଲୋକଙ୍କ ଅଭାବ ହେଉଛି । ଜାତୀୟ ଘୁଷୁରୀ ସଂଘ ବା ଏନ୍ପିଏ ଦେଇଥିବା ତଥ୍ୟ ଅନୁସାରେ ୭୦ ହଜାରରୁ ଅଧିକ ପଶୁଙ୍କୁ ହତ୍ୟା କରିଦିଆଯାଇଛି । ଏହି ପଶୁମାନଙ୍କର କଟାଯିବା ପାଇଁ ସମୟ ହୋଇଯାଇଥିବା ବେଳେ ମାଂସ କଟାଳିଙ୍କ ଅଭାବ ରହିଛି । ଯାହା ଫଳରେ ଘୁଷୁରୀଗୁଡ଼ିକୁ ମାରିଦିଆଯାଇଛି । ଏନେଇ ଘୁଷୁରୀ ପାଳନ କରୁଥିବା ବ୍ୟକ୍ତି ଚିନ୍ତାରେ ପଡ଼ିଛନ୍ତି । ଏନ୍ପିଏର ପଲିସି ଉପଦେଷ୍ଟା ଦେଇଥିବା ସୂଚନା ଅନୁସାରେ ଶ୍ରମିକଙ୍କ ଘୋର ଅଭାବ, ବ୍ୟବସାୟିକ ଜଟିଳତା ଏବଂ ସାରା ବିଶ୍ୱରେ ଫସଲ ଅମଳ ଭଲ ହୋଇନଥିବା କାରଣରୁ ଘୁଷୁରୀ ମାଂସ ଶିଳ୍ପ ଏବେ କ୍ରାଇସିସ୍ ଦେଇ ଗତି କରୁଛି ।
ହଠାତ୍ ଶ୍ରମିକ ଅଭାବ କାରଣରୁ ଫାର୍ମର ମାଲିକମାନେ ସେମାନଙ୍କର ଲାଭ ସହ ମୂଳଧନ ମଧ୍ୟ ହରାଇଲେଣି । ବଳକା ଥିବା ଘୁଷୁରୀଙ୍କୁ ସେମାନେ ଖାଇବାକୁ ଦେଇପାରୁନାହାନ୍ତି । ଯଦି ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଦେଶରେ ସମ୍ପୂର୍ଣ୍ଣ ଭାବେ ଘୁଷୁରୀ ଲୋପ ପାଇଯିବେ ବୋଲି ଉପଦେଷ୍ଟା କହିଛନ୍ତି ।