ଲଗାଣ ବର୍ଷା କାରଣରୁ ଶୋଇଥିବା ବେଳେ ପଡ଼ିଗଲା କାନ୍ଥ, ୭ ବର୍ଷର ଶିଶୁକନ୍ୟା ମୃତ

Published By : Prameya-News7 Bureau | August 10, 2022 IST

ତେଲକୋଇ, ୧୦/୦୮: ଲଗାଣ ବର୍ଷାରେ କାନ୍ଥ ପଡି ୭ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଗାଁର ଡିବି ସାହିରେ । ମୃତକ ହେଲେ କାଳିଆହତା ଗାଁ ଡିବି ସାହିର ଜାରିଙ୍ଗ ମୁଣ୍ଡାଙ୍କ ଝିଅ ରଞ୍ଜିତା ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ କାଳିଆହତା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଜାରିଙ୍ଗ ମୁଣ୍ଡାଙ୍କ ଚାଳ ଛପର ଘରେ ପାଣି ଗଳୁଥିଲା। ଏପରି ଅବସ୍ଥାରେ ବାପା ଓ ମାଙ୍କ ସାଥିରେ ରଞ୍ଜିତା ଶୋଇଥିବା ବେଳେ ଘରର ଗୋଟିଏ ପଟର କାନ୍ଥ ରଞ୍ଜିତାଙ୍କ ଉପରେ ପଡିଥିଲା।

ଘଟଣାସ୍ଥଳରେ ଶିଶୁକନ୍ୟା ରଞ୍ଜିତାଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା ଓ ମାଆ ଦୁଇଜଣ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ଆଜି ସକାଳୁ ତେଲକୋଇ ଅତିରିକ୍ତ ତହସିଲଦାର ଓ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.