ଆହତ ୭ ଛାତ୍ରଛାତ୍ରୀ ଡାକ୍ତରଖାନାରୁ ହେଲେ ଡିସଚାର୍ଜ, ପାଠପଢା ବେଳେ ସ୍କୁଲରେ ମାରିଥିଲା ବଜ୍ରପାତ
20/08/2022 at 7:27 PM

ଦେବଗଡ: ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ପରିସରରେ ବଜ୍ରପାତରେ ଆହତ ହୋଇଥିବା ସାତ ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଆହତ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଆଉ ବିଶେଷ ସେଭଳି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ଯୋଗୁଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ପରେ ସମସ୍ତଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କୁଟୁରାପସି ଅଭିମୁଖେ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଏକଟା ସମୟରେ କୁଟୁରାପସି ୟୁପି ସ୍କୁଲ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଗୋଟିଏ ଶ୍ରେଣୀ ଗୃହ ମଧ୍ୟରେ ଥିବା ଷୋହଳ ଜଣ ଛାତ୍ରଛାତ୍ରୀ ଅଳ୍ପ ବହୁତେ ଆହତ ହୋଇଥିବା ବେଳେ ସାତ ଜଣ ଛାତ୍ରୀ ଓ ଜଣେ ଛାତ୍ର ଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତ ଛାତ୍ରଛାତ୍ରୀ ମାନେ ସମସ୍ତେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ହୋଇଥିବା ବେଳେ ସ୍କୁଲ ରେ ଗୋଟିଏ ଶ୍ରେଣୀ ଗୃହ ମଧ୍ୟରେ ପାଠ ପଢୁଥିବା ବେଳେ ଏହି ବଜ୍ରପାତ ହୋଇଥିଲା। ଆହତ ମାନଙ୍କୁ ଦେବଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ସାତଜଣଙ୍କୁ ଶିଶୁ ରୋଗ ବିଭାଗ ରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା କରାଯାଉଥିଲା।

ବଜ୍ରପାତର ତୀବ୍ରତା ଏତେ ଥିଲା ଯେ, ବଜ୍ରପାତ ହୋଇଥିବା ସ୍ଥାନରେ ଶ୍ରେଣୀ ଗୃହ ମଧ୍ୟରେ ଗୋଟିଏ ଗର୍ତ୍ତ ସୃଷ୍ଟି ହୋଇଥିଲା। ଆହତ ଛାତ୍ରଛାତ୍ରୀ ମାନେ ହେଲେ ଲିକି ପେଣ୍ଠଇ, ଧରିତ୍ରୀ ସାହୁ, ପପିନା ସାହୁ, ସାଳିନୀ ସାହୁ, ବେବିନା ଦେହୁରୀ, ଭବାନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ। ଶନିବାର ସଂପୃକ୍ତ ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ସାମଲ ସମସ୍ତଙ୍କୁ ଡାକ୍ତରଖାନାରେ ଭେଟିଥିଲେ।