ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Published By : Prameya-News7 Bureau | August 22, 2022 IST

ଦେବଗଡ: ବିଷାକ୍ତ ଛତୁ ଖାଇ ସାତ ଜଣ ଅସୁସ୍ଥ।  ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଛେପଲିପାଲି ଗ୍ରାମ ହରିଜନପଡାରେ ବିଷାକ୍ତ ଛତୁ ଖାଇ ସାତ ଜଣ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଅସୁସ୍ଥ ଗୋଟିଏ ପରିବାରର ସଦସ୍ୟ। ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗ୍ରାମର  ରମେଶ ମହାନନ୍ଦ(୬୫ ବର୍ଷ) ଙ୍କ ବାଡିରେ ବାଉଁଶ ଗଛ ମୂଳରେ କିଛି ଛତୁ ଫୁଟିଥିଲା । ପୂର୍ବାହ୍ନ ସମୟରେ ରମେଶ ଛତୁ ତୋଳି ଆଣି ଘରେ ରୋଷେଇ କରିଥିଲେ । ପରେ ମଧ୍ୟାହ୍ନ ସମୟରେ ରମେଶ,  ତାଙ୍କ ସ୍ତ୍ରୀ କେର ମହାନନ୍ଦ  (୬୦), ପୁଅ ହୃଷିକେଶ ମହାନନ୍ଦ (୨୩), ଝିଅ ଅଞ୍ଜନା ଭୋଜ (୪୫)  , ନାତୁଣୀ ପଲ୍ଲୀ ଭୋଜ (୨୦), ନାତି ଚଇତୁ ଭୋଜ (୧୮), ଭୁଲୁ ଭୋଜ (୧୫) ଏହି ଛତୁକୁ ଖାଇଥିଲେ। ଛତୁ ଖାଇସାରିବା ଏକ ଘଣ୍ଟା ପରେ ସମସ୍ତେ ବାନ୍ତି କରିଥିଲେ।

ପରେ ପରିବାରର ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥ ରମେଶ ଛତୁର ନମୁନା ସାଥିରେ ଧରି ଆସିଥିବା ବେଳେ ଏହା ବିଷାକ୍ତ ଛତୁ ବୋଲି ଜଣାପଡ଼ିଛି । ବିଷାକ୍ତ ଛତୁ ଖାଇଥିବା ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.