ଓମାନରେ ଫସିଛନ୍ତି ୭ ଓଡ଼ିଆ; ଉଦ୍ଧାର ପାଇଁ ନିବେଦନ, ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଲେ ପରିବାର ଲୋକେ

Published By : Prameya-News7 Bureau | May 24, 2024 IST

ଛତ୍ରପୁର 24/05: ରାଜ୍ୟରେ ଦାଦନ ଦୁଖଃ ବଢିବାରେ ଲାଗିଛି। ଦୁଇ ପଇସା ଅଧିକ ରୋଜଗାର ଆଶାରେ ପରିବାର ଛାଡି ଦେଶ ବାହାରକୁ ଯାଉଛନ୍ତି ଶ୍ରମିକ । ହେଲେ ସେଠାରେ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି। 

ଓଡିଶାରୁ ୭ ଜଣ ବ୍ୟକ୍ତି ଓମାନକୁ ଦୁଇ ମାସ ତଳେ ଯାଇ ସେଠାରେ ଫସି ରହିଛି। ୭ ଜଣ ମଧ୍ୟରୁ ଗାମ ଜିଲ୍ଲାର 5ଜଣ ,ଜଣେ ଖୋର୍ଦ୍ଧା ଓ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲାର। ସେଠାରେ ତାଙ୍କୁ ନାହିଁ ନଥିବା ନଜରବନ୍ଦୀ କରି ରଖିବା ସହ 12ରୁ 13 ଘଣ୍ଟା କାମ କରିବା ପାଇଁ ବାଧ୍ୟ କରାଯିବା ସହ ନିର୍ଯ୍ୟାତନା ଦିଆଯାଉଛି। ଏନେଇ ସେମାନେ ଲୁଚିକି ଏକ ଭିଡିଓ କରି ନିଜ ପରିବାର ସଦସ୍ୟନିକଟକୁ ବାର୍ତ୍ତା ପଠାଇଛନ୍ତି। ଏ ଖବର ପାଇ ପରିବାର ଲୋକ ଏବେ ଭୟଭିତ ହୋଇଯାଇଛନ୍ତି। ସେମାନଙ୍କୁ ଏଠାରୁ ମୁକଳିବା ପାଇଁ ପରିବାର ସଦସ୍ୟମାନେ ଶୁକ୍ରବାର ଛତ୍ରପୁର ଆସି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ କହିବା ସହ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ଓମାନରୁ ଫେରାଇ ଅଣାଯିବ ଜିଲାପ୍ରଶାସନକୁ ଅନୁରୋଧ କରିଥିଲେ।

 ସୋରଡାର ସୁନିଲ ବେହେରା, କବିସୂର୍ଯ୍ୟନଗରର ସନ୍ଦିପ ସାହୁ, କନିଷି କଇଠପଲ୍ଲୀର ରାମଚନ୍ଦ୍ର ସେଠୀ, ବାବନପୁର ଜରଡାର ବିର ଦୁଧିଷ୍ଟି ରେଡ୍ଡି, କବିସୂର୍ଯ୍ୟନଗରର କେନ୍ଦୁପାଟଣା ସାହିର ସମୀର କୁମାର ଜେନା, ଜଗତସିଂହପୁରର ରାକେଶ ମହାପାତ୍ର, ଖୋର୍ଦ୍ଧ। ବଡକୁଳର ବୈରାଗି ଚରଣ ଓମାନରେ ଫସି ରହିଛନ୍ତି। 

ସୂଚନାନୁସାରେ ବ୍ରହ୍ମପୁର ସହରରେ ଥିବା ଏକ ଅନୁଷ୍ଠାନ ଏଜେଣ୍ଟ ଜରିଆରେ 2ମାସ ତଳେ ଓମାନରେ ଚାକିରି କରାଇ ଦେବାକୁ କହି ଜଣେ ପିଛା 1ଲକ୍ଷ 20 ହଜାର ଟଙ୍କା ନେଇଥିଲା। ସେଠାରେ ତାଙ୍କୁ 27 ରୁ 40 ହଜାର ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ।  ଏଜେଣ୍ଟଙ୍କ କଥାରେ ବିଶ୍ୱାସ କରି ମାର୍ଚ୍ଚ ମାସରେ ଓମାନ ଯାଇ କାମ ଆରମ୍ଭ କରିଥିଲେ। କିନ୍ତୁ କମ୍ପାନୀ ମ୍ୟାନେଜର ସେଠାରେ ଦରମା ନଦେଇ ଧମକ ଦେଉଥିବା ଏବଂ ସେମାନଙ୍କ ନିକଟରେ ଥିବା ପାସଫୋଟ ଓ ଭିସାକୁ ନେଇଯାଇଥିଲା। ସେଠାରେ ଫସିଥିବା 7ଜଣ ଏବେ ଭୟଭିତ ଅବସ୍ଥାରେ ରହିବା ସହ ଲୁଚିକରି ଏକ ଭିଡିଓ ବାର୍ତ୍ତା ପରିବାର ନିକଟକୁ ପଠାଇଛନ୍ତି। ସେମାନଙ୍କୁ ଏଠାରୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଜିଲାପ୍ରଶାସନ ଓ ରାଜ୍ୟ ସରକାର ଏହି ଘଟଣାକୁ ହସ୍ତକ୍ଷେପ କରି ତୁରନ୍ତ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପରିବାର ଲୋକ ନିବେଦନ କରିଛନ୍ତି।   

ଭାଲୁ ହାବୁଡରେ ପଡିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.