ଚିତୋରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରେଲର ଏବଂ କ୍ରୃଜର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୭ଜଣଙ୍କ ମୃତ୍ୟୁ,ଅନେକ ଗୁରୁତର
13/12/2020 at 7:44 AM

ଜୟପୁର ୧୩/୧୨: ରାଜସ୍ଥାନର ଚିତୋରଗଡ଼ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି,ଯେଉଁଥିରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଚିତୋରଗଡ଼ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ବର୍ତ୍ତମାନ,ଗୁରୁତରଙ୍କୁ ହସ୍ପିଟାଲରେ ଶିଫ୍ଟ କରାଯାଇଛି,ଏଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ପୋଲିସ୍ ଉପସ୍ଥିତ ରହିଛି।
ସୂଚନା ମୁତାବକ,ଚିତୋରଗଡ଼ ଜିଲ୍ଲାର ନିକୁମ୍ଭ ଥାନା ଅଞ୍ଚଳରେ ୨ଟି ଗାଡ଼ି ଟ୍ରେଲର ଏବଂ କ୍ରୃଜର ଗାଡ଼ି ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଗାଡ଼ି ୨ଟି ପୂରା ଭାଙ୍ଗି ଯାଇଥିଲା। ଏଥିରେ ୭ଜଣଙ୍କ ଜୀବନ ଚାଲିଯାଇଥିଲା। ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିରେ ଫସିଥିବା ଲୋକ ଏବଂ ମୃତକଙ୍କୁ ବାହାରକୁ ବାହାର କରିଥିଲେ ଏବଂ ସେମାନଙ୍କୁ ହସ୍ପିଟାଲକୁ ପହଞ୍ଚାଇଥିଲେ।
କୁହାଯାଉଛି ଯେ କ୍ରୃଜରରେ ଥିବା ସମସ୍ତେ ମଧ୍ୟପ୍ରଦେଶରୁ ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ। କିନ୍ତୁ ସେହି ସମୟରେ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଅନେକ ଗୁରୁତରଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି।