ନାନ୍ଦେଡ ହସ୍ପିଟାଲରେ ବଢ଼ୁଛି ମୃତ୍ୟୁ ସଂଖ୍ୟା; ଆଉ ୭ ରୋଗୀଙ୍କ ଗଲା ଜୀବନ
3/10/2023 at 12:30 PM

ମୁମ୍ବାଇ: ମହାରାଷ୍ଟ୍ର ନନ୍ଦେଡ ହସ୍ପିଟାଲରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଅବହେଳା ଯୋଗୁ ଆଉ ୭ଜଣ ରୋଗୀଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା । ମୃତକଙ୍କ ମଧ୍ୟରେ ୧୬ ନବଜାତକ ରହିଛନ୍ତି । ତେବେ ହସ୍ପିଟାଲରେ ମାନବୀୟ ଅବହେଳା ପାଇଁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଗତ ୨୪ ଘଣ୍ଟାରେ ଶିଶୁଙ୍କ ସମତେ ୨୪ଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ନାନ୍ଦେଡ ସରକାରୀ ହସ୍ପିଟାଲରେ ୪୮ ଘଣ୍ଟାରେ ଏତେ ସଂଖ୍ୟାରେ ମୃତ୍ୟୁ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏନେଇ ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ ହେବ । ଡାକ୍ତରୀ ଟିମ୍ ତନତନ କରି ମୃତ୍ୟୁର କାରଣ ଖୋଜାଯିବ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ହସନ ମୁଶ୍ରିଫ୍ କହିଛନ୍ତି । ସେପଟେ ହସ୍ପିଟାଲ ଗସ୍ତରେ ଆସୁଛନ୍ତି ଡେପୁଟି ସିଏମ ଦେବେନ୍ଦ୍ର ଫଡନବୀସ୍ ।
ନାନ୍ଦେଡ ସରକାରୀ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ କଂଗ୍ରେସ ଓ ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ରାଜ୍ୟ ସରକାର ଅବଶ୍ୟକ ଔଷଧ ପଠାଉନଥିବାରୁ ୪୮ଘଣ୍ଟାରେ ୩୧ଜଣଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ କରିଛନ୍ତି ବିରୋଧ ।
ଚଳିତ ବର୍ଷ ଅଗଷ୍ଟ ମାସରେ ବି ସମାନ ଘଟଣା ଘଟିଥିଲା। ଥାନେର ଏକ ସରକାରୀ ଡାକ୍ତରଖାନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ଗୋଟିଏ ମାସ ଯାଇଛି ପୁଣି ଏକ ସରକାରୀ ଡାକ୍ତରଖାନାରେ ଏତେ ସଂଖ୍ୟକ ମୃତ୍ୟୁ ହେବା ରାଜନୈତିକ ହଲ୍ଚଲ୍ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ୭୦ ରୋଗୀ ମୃତ୍ୟୁ ସହ ଲଢେଇ କରୁଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।