ଜଙ୍ଗଲରେ ଛଡ଼ାଯିବ ଆଉ ୭ ଚିତା, ସୁରକ୍ଷାକୁ ନେଇ କୁନୋ ନ୍ୟାସନାଲ ପାର୍କ ପ୍ରସ୍ତୁତ !
31/05/2023 at 11:49 PM

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ବିଗତ ଦିନରେ ନିରୁତ୍ସାହଜନକ ଖବର ଆସିଛି। କୁନୋରେ ଜନ୍ମ ନେଇଥିବା ୪ ଚିତା ଶାବକଙ୍କ ମଧ୍ୟରୁ ୩ର ମୃତ୍ୟୁ ହୋଇ ସାରିଛି। ତେବେ ଜଙ୍ଗଲରେ ଏବେ ଆଉ ୭ ଚିତା ଛଡ଼ାଯିବ ବୋଲି କହିଛନ୍ତି କୁନୋର ଜନୈକ ଅଧିକାରୀ। ୨୦୨୨ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା କୁନୋ ଜାତୀୟ ଉଦ୍ୟାନରେ ୮ ଚିତାକୁ ଏକ ବଡ଼ ଖୁଆଡ଼ରେ ଛଡ଼ା ଯାଇଥିଲା। ଏବେ ୭ ଚିତାକୁ ଜୁନ ତୃତୀୟ ସପ୍ତାହରେ କୁନୋ ଜଙ୍ଗଲରେ ଛଡ଼ାଯିବ।

କୁନୋରେ ବିଦେଶରୁ ଆସିଥିବା ମୋଟ୍ ୨୦ ଚିତା ମଧ୍ୟରୁ ୩ ଚିତାର ମୃତ୍ୟୁ ଘଟି ସାରିଛି। ଅବଶିଷ୍ଟ ୧୭ ଚିତା ମଧ୍ୟରୁ ୭ ପୂର୍ବରୁ ଜଙ୍ଗଲରେ ଛଡ଼ା ଯାଇଛି। କୁନୋ ଜାତୀୟ ଉଦ୍ୟାନର ଅଧିକାରୀ କହିଛନ୍ତି, ଏବେ ବଡ଼ ଖୁଆଡ଼ରେ ଥିବା ୭ ଚିତାଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ। ଅବଶିଷ୍ଟ ଚିତାକୁ ଆଉ କିଛି ଦିନ ଖୁଆଡ଼ରେ ରଖାଯିବ। ସର୍ବପ୍ରଥମେ ୩ ଚିତାଙ୍କୁ ଜଙ୍ଗଲରେ ଛଡ଼ା ଯାଇଥିଲା। ପରେ ମେ ୮ରେ ମୌସୁମୀ ଆରମ୍ଭ ହେବା ପୂର୍ବରୁ ଆଉ ୫ ଚିତାକୁ ଜଙ୍ଗଲରେ ଛଡ଼ା ଯିବାକୁ ନିଷ୍ପତ୍ତି ହୋଇଥିଲା।

ସୂଚନାଯୋଗ୍ୟ, ଚିତାଗୁଡ଼ିକୁ ସାଧାରଣତଃ ମୌସୁମୀ ସିଜିନରେ ଜଙ୍ଗଲରେ ଛଡ଼ା ଯାଏ ନାହିଁ। କାରଣ ମୌସୁମୀରେ ଚିତାଙ୍କ ପାଇଁ ଭୋଜନ ଏବଂ ଆଶ୍ରୟ ଖୋଜିବା ବହୁତ ମୁସ୍କିଲ। ତଥାପି ୭ ଚିତାକୁ ଜଙ୍ଗଲରେ ଛଡ଼ା ଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଚିତାର ସୁରକ୍ଷାକୁ ନେଇ ଅଧିକାରୀମାନେ ପୂରା ଆଲର୍ଟ ଅଛନ୍ତି। ଏ ପର୍ଯ୍ୟନ୍ତ କୁନୋରେ ୩ ଚିତା ଏବଂ ୩ ଶାବକକୁ ମିଶାଇ ମୋଟ୍ ୬ ଚିତାଙ୍କ ମୃତ୍ୟୁ ଘଟି ସାରିିଛି।