ଢେଙ୍କାନାଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ

Published By : Prameya-News7 Bureau | October 27, 2018 IST

ଢେଙ୍କାନାଳ ୨୭|୧୦: ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ମୃତ । ଢେଙ୍କାନାଳ ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଛି ଏଭଳି ଅଘଟଣ । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମରିଥିବା ଆଶଙ୍କା କରାଯାଉଛି । ହାତୀପଲରେ ୧୩ରୁ ଅଧିକ ହାତୀ ଥିଲେ । ହାତୀ ପଲ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ୭ହାତୀ ମରି ପଡିଥିବା ବେଳେ ଅନ୍ୟମାନେ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଅନୁମାନ କରାଯାଉଛି । ହାତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି । ହାତୀ ମୃତ୍ୟୁର କାରଣ ନେଇ ତଦନ୍ତ ହେବ । ତେବେ ପ୍ରାଥମିକ ଭାବରେ ଜଣା ପଡୁଛି ବିଦ୍ୟୁତ୍ ତାର ଲାଗି ୭ ହାତୀଙ୍କ ମୃତ୍ୟୁ ହୋଇଛି । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ତାର ଲାଗି ହାତୀ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ରେଳ ବିଭାଗ ଏହାକୁ ଖଣ୍ଡନ କରିଛି । ଗତ ୧୮ବର୍ଷ ଭିତରେ ୧୮୦ରୁ ଅଧିକ ହାତୀ କେବଳ ବିଦ୍ୟୁତ୍ ତାର ଲାଗି ପ୍ରାଣ ହରାଇଛନ୍ତି । ଅନୁଗୋଳରେ ସର୍ବାଧିକ ହାତୀ ପ୍ରାଣ ହରାଉଥିବା ରିପୋର୍ଟ କହୁଛି । ଜଙ୍ଗଲ ଭିତର ଦେଇ ଯାଇଥିବା ହାଇ ଭୋଲଟେଜ୍ ତାର ହାତୀପଲ ପାଇଁ ଘାତକ ହେଉଛି । ଦାନ୍ତ ପାଇଁ ହାତୀ ଶିକାର ସହ ବିଦ୍ୟୁତ ତାର ସମସ୍ୟା, ହାତୀଙ୍କ ମୃତ୍ୟୁ ପାଇଁ ବଡ କାରଣ ହୋଇଛି । ଜଙ୍ଗଲ କମିଯିବା ଫଳରେ ଏବଂ ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁ ଅନେକ ସମୟରେ ଜନବସତି ଆଡକୁ ଚାଲି ଆସୁଛନ୍ତି ହାତୀ । ହାତୀ-ମଣିଷ ମୁହାଁମୁହିଁ ହେଉଛନ୍ତି । ଏସବୁ ହାତୀ ସଂଖ୍ୟା ପ୍ରତି ବିପଦ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ହାତୀ ମୃତ୍ୟୁର ୧୫ପ୍ରତିଶତ କେବଳ ବିଦ୍ୟୁତ୍ ତାର ଲାଗିବା ଯୋଗୁଁ ହେଉଛି ।  ଜଙ୍ଗଲ  ଭିତରେ ଯେଉଁ ଉଚ୍ଚତାରେ ବିଦ୍ୟୁତ୍ ତାର ଯିବା କଥା, ସେହି ଗାଇଡଲାଇନ୍ ପାଳନ ହେଉନାହିଁ । ପୁଣି ଅନେକ ସମୟରେ ବିଭିନ୍ନ କାରଣରୁ ତାର ଓହଳି ପଡୁଛି । ଯାହା ହାତୀଙ୍କ ଯିବା ଆସିବା ବାଟରେ ବିପଦ ସାଜୁଛି । ଏପରି ସ୍ଥିତିରେ ଦୋଷ କାହାର ତାହା ବଡ ପ୍ରଶ୍ନ । ତାଠୁ ବଡ ପ୍ରଶ୍ନ ହାତୀଙ୍କ ସୁରକ୍ଷା ନେଇ କାହାର ଦାୟିତ୍ବ । ହାତୀ କରିଡରରେ ନିୟମିତ ଭାବରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ହେଉଛି । ଯାହାର ପରିଣାମ ସ୍ବରୂପ ଅନେକ ସମୟରେ ଏପରି ଅଘଟଣମାନ ଘଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.