ଭାରତର ୭ ପ୍ରତିଶତ ଲୋକଙ୍କ ପାଖରେ ଡିଜିଟାଲ କରେନ୍ସି, ମୁଦ୍ରା ସାର୍ବଭୌମତ୍ୱ ପ୍ରତି ବିପଦ କହିଲା ଜାତିସଂଘ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ କେନ୍ଦ୍ର ସରକାର ନିଜର ଅଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାକୁ ସରକାରୀ ମାନ୍ୟତା ଦେଇ ନାହାନ୍ତି । ଆରବିଆଇ ଡିଜିଟାଲ କରେନ୍ସି ଆସିବାରେ ମଧ୍ୟ ବିଳମ୍ୱ ହେଉଛି । ଏହାସତ୍ତ୍ୱେ ଦେଶର ୭ ପ୍ରତିଶତ ଲୋକଙ୍କ ପାଖରେ ଡିଜିଟାଲ କରେନ୍ସି ରହିଛି । ମିଳିତ ଜାତିସଂଘ ଦ୍ୱାରା ଜାରି ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ଦୁନିଆର କ୍ରିପ୍ଟୋକରେନ୍ସି ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଏହି ସମୟରେ ଭାରତରେ ମଧ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ମିଳିତ ଜାତି ସଂଘର ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା UNCTAD ନିଜର ରିପୋର୍ଟରେ କହିଛି, ୨୦୨୧ରେ ଭାରତର ୭.୩ ପ୍ରତିଶତ ଲୋକେ କ୍ରିପ୍ଟୋକରେନ୍ସ ପରି ଡିଜିଟାଲ କରେନ୍ସିରେ ନିବେଶ କରିଛନ୍ତି । ଏହାସହ ଡିଜିଟାଲ କରେନ୍ସି ରଖିବା ମାମଲାରେ ଦୁନିଆର ଶୀର୍ଷ ୨୦ ଦେଶ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି । ୟୁକ୍ରେନରେ ସବୁଠୁ ଅଧିକ ୧୨.୭ ପ୍ରତିଶତ ଲୋକେ ଡିଜିଟାଲ କରେନ୍ସିରେ ନିବେଶ କରିଛନ୍ତି । ଏହାପରେ ରୁଷର ୧୧.୯ ପ୍ରତିଶତ, ଭେନେଜୁଏଲାର ୧୦.୩ ପ୍ରତିଶତ, ସିଙ୍ଗାପୁରର ୯.୪ ପ୍ରତିଶତ, କେନିଆରେ ୮.୫ ପ୍ରତିଶତ ଏବଂ ଆମେରିକାରେ ୮.୩ ପ୍ରତିଶତ ଲୋକଙ୍କ ପାଖରେ ଡିଜିଟାଲ କରେନ୍ସି ରହିଛି ।

ରିପୋର୍ଟରେ କୁହାଯାଇଛି, ଏହି ଘରୋଇ ଡିଜିଟାଲ କରେନ୍ସି ରେମିଟାନ୍ସରେ ସାହାଯ୍ୟ କରିଛି କିନ୍ତୁ ଏହା ଏକ ଅସ୍ଥିର ଆର୍ଥିକ ସମ୍ପତ୍ତି ଯାହା ନିଜ ସହ ସାମାଜିକ ବିପଦ ଆଣିଥାଏ । ନିକଟରେ କ୍ରିପ୍ଟୋକରେନ୍ସିରେ ହ୍ରାସ ଏହାକୁ ରଖିବାର ବିପଦକୁ ସ୍ପଷ୍ଟ କରିସାରିଛି । ଏହା ବହୁଳ ବ୍ୟବହାର ଦେଶର ମୁଦ୍ରା ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.