‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣ: ସମୟ ପରିଚାଳନା ବିଦ୍ୟା ହାସଲ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
27/01/2023 at 10:46 PM

⭐ ‘ପରୀକ୍ଷା ପେ ଚର୍ଚ୍ଚା’ ଓ ‘ଏଗଜାମ ଓ୍ୱାରିୟର୍ସ’ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କୁ ପ୍ରସ୍ତୁତ କରୁଛି:~ ଧର୍ମେନ୍ଦ୍ର ପ୍ରଧାନ
⭐ ପରୀକ୍ଷାପେ ଚର୍ଚ୍ଚାର ଅନୁଭୂତି ନେଇ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ I ଭୁବନେଶ୍ୱର ୨୭/୦୧: ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ଶୁକ୍ରବାର ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ମାନଙ୍କୁ ସମୟ ପରିଚାଳନା ବିଦ୍ୟା ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ସବୁ ଘରେ ମାଆ ମାନଙ୍କର ସମୟ ପରିଚାଳନା ଅତିବ ଉତ୍ତମ। ଅନେକ କାମ କରି ସୁଦ୍ଧା ଜଣେ ମାଆ କେବେ ଚାପଗ୍ରସ୍ତ ହୁଅନ୍ତିନି। ତାଙ୍କୁ ଲକ୍ଷ୍ୟ କଲେ ସମୟ ପରିଚାଳନା ଶିଖିହେବ। ମାଆଙ୍କ ଗତିବିଧିକୁ ଦେଖିଲେ ସମୟ ପରିଚାଳନା ଉପରେ ଅନେକ କିଛି ଶିଖିବାକୁ ମିଳିବ ଏବଂ ଲାଭ ମିଳିବ। ସେ କହିଛନ୍ତି ଯେ ଯେଭଳି କ୍ରିକେଟ୍ ଷ୍ଟାଡିୟମରେ ବ୍ୟାଟ୍ସମ୍ୟାନ ଦର୍ଶକଙ୍କ ଚାହିଦାକୁ ଧ୍ୟାନ ନ ଦେଇ କେବଳ ନିଜ ଖେଳ ଉପରେ ଧ୍ୟାନ ଦିଅନ୍ତି। ସେହିପରି ଭାବେ ପିଲାମାନେ ଲୋକଙ୍କ କଥାକୁ ଚାପରେ ନନେଇ କେବଳ ନିଜର କ୍ଷମତା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “ପରୀକ୍ଷା ପେ ଚର୍ଚ୍ଚା”ର ଷଷ୍ଠ ସଂସ୍କରଣରେ ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ପରୀକ୍ଷା ପେ ଚର୍ଚ୍ଚା ଜନଆନ୍ଦୋଳନର ରୂପ ନେଇଛି। ଗତ ୮-୯ ବର୍ଷ ଧରି ପ୍ରଧାନମନ୍ତ୍ରୀ କେବଳ ଦେଶକୁ ସମ୍ଭାଳିନାହାନ୍ତି ବରଂ ଦେଶରେ ଅନେକ ଜନଆନ୍ଦୋଳନର ଜନକ ହୋଇଛନ୍ତି। ସ୍ୱଚ୍ଛ ଭାରତ, ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ଦେଶର ଯୁବଶକ୍ତିଙ୍କ ମଧ୍ୟରେ ନୂଆ ଉର୍ଜା ଉତ୍ପନ୍ନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ପରୀକ୍ଷା ପେ ଚର୍ଚ୍ଚା ଓ ଏଗଜାମ ଓ୍ୱାରିୟର୍ସ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କୁ ପ୍ରସ୍ତୁତ କରୁଅଛି, ଯେଉଁ ବିଦ୍ୟାର୍ଥୀମାନେ କେବଳ ଭାରତର ବିଷୟ ଉପରେ ଚିନ୍ତା ନ କରି ବୈଶ୍ୱିକ କଲ୍ୟାଣର ଚିନ୍ତା କରିବେ। ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହୋଇଛି। ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଭାରତୀୟ ଯୁବପିଢିଙ୍କ ଦ୍ୱାରା ଟେକ୍ନୋଲୋଜି ବିକଶିତ କରାଯାଉ ଓ ଏହା ବିଶ୍ୱର ସମାଧାନ କରିବା କାମରେ ଲାଗୁ, ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିରେ ଯୁବପିଢିଙ୍କ ପାଖରୁ ଏହି ଅପେକ୍ଷା ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢାଇବ। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସେମାନଙ୍କର ସର୍ବୋତ୍ତମ (ବେଷ୍ଟ୍) ଦେବା ପାଇଁ କେହି ଅଟକାଇପାରିବେ ନାହିଁ। ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ। ସେମାନଙ୍କୁ ଆମର ଭାଷା ବିବିଧତା, ଭାଷା ଓ ଐତିହ୍ୟକୁ ଗର୍ବ କରିବା ପାଇଁ ପ୍ରେରିତ କରିବ ଏବଂ ସେମାନଙ୍କ ଭଲ ମଣିଷ ହେବା ପାଇଁ ନିଶ୍ଚିତ କରିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଥିବା ସାମାଜର ଚାପକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଅଭିଭାବକ, ଯୁଗଦ୍ରଷ୍ଟା ଓ ଜଣେ ସୁଧାରକ ଭାବରେ ପରୀକ୍ଷା ପେ ଚର୍ଚ୍ଚାରେ ଉପସ୍ଥିତ ହେବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ ସମୟ ବାହାର କରି ନିଜକୁ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ବନାଇଛନ୍ତି। ସେହି ଉପାୟରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗଜାମ ଓ୍ୱରିୟର୍ସ’ର ନୂଆ ସଂସ୍କରଣ ଭାରତର ପ୍ରମୁଖ ୧୩ଟି ଭାଷାରେ ପ୍ରକାଶ ପାଇଛି। ଗତ ଜାନୁଆରୀ ୨୩ରେ ନେତାଜୀଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶର ସ୍କୁଲ ବିଦ୍ୟାର୍ଥୀମାନେ ଏଗଜାମ ଓ୍ୱାରିୟର୍ସର କଥାବସ୍ତୁ ଉପରେ ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏଥିରୁ ପିଲାମାନେ ପ୍ରେରଣା ନେଇଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ କାର୍ଯ୍ୟକ୍ରମ ସରିବା ପରେ ପରୀକ୍ଷା ପେ ଚର୍ଚ୍ଚାର ଅନୁଭୂତି ନେଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଦେଶର କୋଣ ଅନୁକୋଣରୁ ପରୀକ୍ଷା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଏବଂ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ସୂଚନାଥାଉକି, ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ। ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।